ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ୫୯ଟି ପ୍ରକଳ୍ପ ଉଦଘାଟିତ

1 min read

ଭୁବନେଶ୍ବର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ୧୩ଟି ଜିଲ୍ଲାରେ ୫୯ଟି ପ୍ରକଳ୍ପ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ପ୍ରକଳ୍ପର ଉଦଘାଟନ । ଏହାଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି । ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ କରାଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଚାଷୀଭାଇ  ଦେଶର ଶ୍ରେଷ୍ଠ ସେବକ । ସେମାନେ ଅର୍ଥନୀତିର ମେରୁଦଣ୍ଡ । ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି । ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । କାଳିଆ ଯୋଜନା ଚାଷୀ ଭାଇଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି ।

ରାଜ୍ୟରେ ଜଳସେଚନର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ 5T ଉପକ୍ରମରେ ଜଳସେଚନର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ ଓ ସୁବର୍ଣ୍ଣରେଖା ପରି ବଡ ବଡ ପ୍ରକଳ୍ପରୁ ଚାଷୀମାନେ ଜଳସେଚନ ସୁବିଧା ପାଉଛନ୍ତି । ଏହାଛଡା ଗଙ୍ଗାଧର ମେହର ପ୍ରକଳ୍ପ ଓ ଲୋୟର ସୁକତେଲ ପରି ଅନ୍ୟ ବଡ ବଡ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟର ସୁପରିଚାଳନା ପାଇଁ ଓକାକ୍ ଦ୍ୱାରା ପ୍ରସ୍ତୁତ ଇ-ମେଗାଲିଫ୍ଟ ଆପର ଲୋକାର୍ପଣ କରିଥିଲେ । ୨୦୧୧ ମସିହାରେ ରାଜ୍ୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥିରେ ୨୦୮ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି ଓ ଏହାଦ୍ୱାରା ୨ ଲକ୍ଷ ୬୪ ହଜାର ୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୧୩ ହଜାର ୫୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ ।