ସ୍ମାର୍ଟ ସେବାରେ ସାମିଲ ହେଲା ଜଗତସିଂପୁର, ଅନୁଦାନର ପେଡି ଖୋଲିଲେ ନବୀନ

ଜଗତସିଂହପୁର: ସ୍ବାସ୍ଥ୍ୟସେବାରେ ଆଉ ପାଦେ ଆଗେଇଲା ଜଗତସିଂହପୁର । ଜିଲ୍ଲାରେ ଆାରମ୍ଭ ହେଲା ସ୍ମାର୍ଟ ହେଲଥ କାର୍ଡ ଯୋଜନା । ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ଜିଲ୍ଲାର ୨ ଲକ୍ଷ ୩୮ ହଜାର ୬୧୪ ପରିବାରର ୮ ଲକ୍ଷ ୭୭ ହଜାର ୬୦ ହିତାଧିକାରୀ ।

ଏହାଛଡା ଜିଲ୍ଲାର ବିକାଶ ପାଇଁ ଅନୁଦାନର ପେଡ଼ି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ୨୧୪ଟି ପ୍ରକଳ୍ପର ଶିଳାନ୍ୟାସ ସହ ୧୪୮ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ । ୫୧ କୋଟି ୬୭ ଲକ୍ଷ ଟଙ୍କାରେ ୧୪୮ଟି ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହା ମଧ୍ୟରେ ୩୪ କୋଟି ୮୬ ଲକ୍ଷ ଟଙ୍କାର ୫ଟି ବିଦ୍ୟୁତ ଶକ୍ତି ଯୋଗାଣ ପ୍ରକଳ୍ପ ରହିଛି । ସେହିଭଳି ୭୪୨ କୋଟି ୪୫ ଲକ୍ଷ ଟଙ୍କାରେ ୨୧୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ଏହାଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ।

ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ‘ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ । ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି । ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି ।’

Leave a Reply