ହାଇଟେକ୍ ହେଉଛି ହାଇସ୍କୁଲ, ରାଜ୍ୟର ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବଦଳୁଛି ସ୍କୁଲ, ହାଇଟେକ୍ ହେଉଛି ହାଇସ୍କୁଲ । ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଠ ହେଉ କି ଖେଳ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍କୁଲର ଆଧୁନିକ ସୁବିଧା ଯୋଗୁଁ ପାଠ ପଢ଼ିବା ସହଜ ହୋଇଛି । ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଜାଣିପାରୁଛନ୍ତି ଛାତ୍ରଛାତ୍ରୀ । ପଢ଼ିବାରେ ଆଗ୍ରହ ବଢ଼ିବା ସହ ଆତ୍ମବିଶ୍ବାସ ବୃଦ୍ଧି ପାଉଛି । ଆଧୁନିକ ସୁବିଧା ସହିତ ସ୍କୁଲକୁ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ମିଳୁଛି ।
ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ସହ ପିଲାଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୫ଟି ଜିଲ୍ଲାର ମୋଟ୍ ୪୪୫ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ବାଲେଶ୍ୱରର ୧୩୫ଟି ସ୍କୁଲ, ପୁରୀର ୯୫ଟି, ନୟାଗଡ଼ର ୬୦ଟି, ଜଗତସିଂହପୁରର ୭୫ଟି ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି ।
ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରିଦେଇଛି । ରୂପାନ୍ତର ସେମାନଙ୍କ ମାନସିକସ୍ତରରେ ପରିବର୍ତ୍ତନ ଆଣିଛି । ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢ଼ୁଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ଭବିଷ୍ୟତ ପାଇଁ ଏହା ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ । ଏ ରୂପାନ୍ତର ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ପ୍ରତ୍ୟେକ ପିଲା ସ୍ୱତନ୍ତ୍ର, ତାଙ୍କ ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ । ସ୍କୁଲ ରୂପାନ୍ତର ପିଲାଙ୍କ ଏ ସ୍ୱପ୍ନରେ ଡେଣା ଯୋଡ଼ିପାରିଛି । ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ । ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବେ ଉପଯୋଗ କରି ନିଜ ପରିବାର ଓ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।