ବାଲେଶ୍ବରରେ ୧୮୦୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ, ‘ୱାନ ପଞ୍ଚାୟତ ୱାନ ପ୍ରଡକ୍ଟ’ର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ବାଲେଶ୍ବର: ଓଡ଼ିଆ ସାହିତ୍ୟର ମହାରଥୀ ଫକୀର ମୋହନଙ୍କ ମାଟିକୁ ପ୍ରଣାମ କରି ବାଲେଶ୍ବରବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ବର ଆସି ଖୁବ୍ ଖୁସି ପ୍ରକାଶ କରିଛନ୍ତି ନବୀନ । ବାଲେଶ୍ବରବାସୀଙ୍କ ପାଇଁ ୧୮୦୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରି ଖୁସି ବୋଲି ନବୀନ କହିଛନ୍ତି ।

ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ । ଆଜିର କାର୍ଯ୍ୟକ୍ରମ ବିକାଶର ଧାରାକୁ ଆଗକୁ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲେଶ୍ବର ଜିଲ୍ଲାର ମିଶନ ଶକ୍ତି ମାଙ୍କ ପାଇଁ ଆନନ୍ଦର ଦିନ । ମାଆଙ୍କ ସଫଳତା ମୋତେ ଖୁସି ଦେଇଛି । ଜିଲ୍ଲାର ୫ ହଜାର ୬୦୦ ଏସଏଚଜି ଗ୍ରୁପକୁ ୨୨୦ କୋଟିର ସହାୟତା ବଣ୍ଟନ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିନା ସୁଧରେ ଋଣ ପାଇ ୬୦ ହଜାର ମାଆ ଉପକୃତ ହେବେ ।

ରାଜ୍ୟର ମାଆମାନଙ୍କୁ ଆଗାମୀ ୫ ବର୍ଷରେ ୫୦ହଜାର କୋଟି ଟଙ୍କା ଋଣ ଦେବାକୁ ଘୋଷଣା କରିଛନ୍ତି ନବୀନ । ମାଆମାନେ ଉଦ୍ୟୋଗୀ ହୁଅନ୍ତୁ । ମିଶନ ଶକ୍ତି ଆନ୍ଦୋଳନକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଆହ୍ବାନ ଦେଇଛନ୍ତି ନବୀନ । ଗୋଟିଏ ପଞ୍ଚାୟତ, ଗୋଟିଏ ପ୍ରଡକ୍ଟ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ପ୍ରଡକ୍ଟ ହେଲେ ମାର୍କେଟିଂ ଭଲ ହେବ । ପଞ୍ଚାୟତର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ ବୋଲି କହିଛନ୍ତି ନବୀନ । ମାଆ ଓଡ଼ିଶା ଶିଳ୍ପ ବିକାଶରେ ଇତିହାସ ସୃଷ୍ଟି କରିବେ ବୋଲି ନବୀନ କହିଛନ୍ତି । ନୂଆବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।