ପଶ୍ଚିମ ଓଡିଶାରେ ୯ ପ୍ରକଳ୍ପର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ । ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା । ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି ।

ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆଦିର ବିକାଶ ସହିତ କୋମନାଠାରେ ଏକ ମିଲେଟ୍ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମାନଙ୍କ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି । ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି ।

ଗତବର୍ଷ ପରିଷଦର ବାର୍ଷିକ ଗ୍ରାଣ୍ଟକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି । ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ବିଶେଷ ଜୋର ଦିଆଯାଉଛି । ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଏକ୍ସପ୍ରେସ୍ ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ।

ଆଗାମୀ ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ଶିଳ୍ପ ପାଇଁ ଏକ ସ୍ପେଶାଲ ଇନିସିଏଟିଭ ପ୍ୟାକେଜ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶେଷରେ ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ଫାଇଭଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।