ଓଡିଆ ଭାଷା ପ୍ରତି ଯୁବ ସମାଜ ମଧ୍ୟରେ ସମସ୍ତେ ମିଶି ଆଦର ବୃଦ୍ଧି କରିବା

ଭୁବନେଶ୍ୱର: ଗୋଟିଏ ଜାତିର ଶ୍ରେଷ୍ଠ ସଂପଦ ଓ ବଡ ପରିଚୟ ହେଉଛି ଭାଷା । ଯୁବ ସମାଜ ମଧ୍ୟରେ ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ପଡ଼ିବ । ଭାଷା ଆଇନ ପୁସ୍ତକ ଉନ୍ମୋଚନ କରି ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସଂପାଦିତ ଭାଷା ଆଇନ ପୁସ୍ତକରେ ୨୦ଟି ବିଷୟ ସ୍ଥାନ ପାଇଛି ।

ଏଥିରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବଠାରୁ ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ରହିଛି । ଓଡିଆ ବହୁ ପୁରୁଣା ଭାଷା ଏବଂ ଓଡିଆ ଭାଷାକୁ ନେଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡିଶା ଗଠିତ ହୋଇଥିଲା। ୨୦୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ । ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନେବେ ବୋଲି ନବୀନ କହିଛନ୍ତି ।