୫ଟି ଜିଲ୍ଲାରେ ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

1 min read

ଭୁବନେଶ୍ୱର: ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଶୁକ୍ରବାର ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି । ପିଲାଙ୍କ ବ୍ୟକ୍ତିତ୍ବର ବିକାଶରେ ସହାୟକ ହୋଇଛି ସ୍କୁଲ ରୂପାନ୍ତରଣ । ସ୍କୁଲ ଜୀବନ ଶ୍ରେଷ୍ଠ ସମୟ । ଏହାର ସଠିକ ଉପଯୋଗ କରି ଉଜ୍ବଳ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପାଠ ସହ ଖେଳ ଆଦି କ୍ରିଏଟିଭ ଟାଲେଣ୍ଟର ବିକାଶ ପାଇଁ ସୁଯୋଗ ଆଣିଛି । ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରିବାରେ ବିଶେଷ ସହାୟକ ହୋଇଛି ।

ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଆନନ୍ଦ ଉତ୍ସାହ ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଂଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ପିଲାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତାଙ୍କ ଭିତରେ ଭରି ରହିଛି ବିପୁଳ ସମ୍ଭାବନା ।

ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ । ଜୀବନରେ କିଛି ବଡ କରିବାର ସ୍ବପ୍ନ । ସ୍କୁଲ ରୂପାନ୍ତର ପିଲାମାନଙ୍କ ଏହି ସ୍ବପ୍ନରେ ଡେଣା ଯୋଡିପାରିଛି । ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ । ଏହି ଅବସରରେ ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଟେକ୍ନୋଲୋଜି, ଟିମଓ୍ବାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।