ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

1 min read
Changes In Author Manoj Das International Award Norms

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡ଼ିଆ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀ ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡ଼ାବିତ୍‌ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଛନ୍ତି, ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳି ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ସେମାନେ ସାରା ବିଶ୍ୱରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ISSF ବିଶ୍ୱକପ୍‌ ସୁଟିଂ ପ୍ରତିଯୋଗିତାରେ ୫୦ ମିଟର ରାଇଫଲ ୩ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି । ସେ ମଧ୍ଯ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିଅନ ଭାବେ ସୁନାମ ଅର୍ଜନ କରିଛନ୍ତି । ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି । ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ପାଇଥିବା ବେଳେ, ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି ।

ଉଭୟ କ୍ରୀଡ଼ାବିତ୍ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ । ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ ସେଲଫି ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ  ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।