ଦିନ ମଜୁରିଆ ହେବେ ଡାକ୍ତର, ସ୍ୱପ୍ନରେ ଡେଣା ଲଗାଇଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଭଲ ଡାକ୍ତର ହେବି.. ସମାଜ ପାଇଁ ..ଗାଁ ପାଇଁ କାମ କରିବି । । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଆଖିରେ ଏମିତି ଆଖିଏ ସ୍ବପ୍ନ । ସ୍ବପ୍ନକୁ ସାକାର କରିବାକୁ ନିଷ୍ଠା ଓ ପରିଶ୍ରମ ତାଙ୍କୁ ବାଟ କଢେଇ ନେଉଛି ସତ ମାତ୍ର ଅଭାବ ଓ ଗରିବି ସ୍ବପ୍ନରେ ବାଡ଼ ହୋଇ ଛିଡ଼ା ହେଲା । ଡାକ୍ତର ହେବାର ସ୍ବପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ଓ ସହଯୋଗର ପାଣ୍ଠି । ଖୁସିରେ ସେ ଏବେ ଗଦଗଦ । ମୁଖ୍ୟମନ୍ତ୍ରୀଙ୍କୁ ଇଫୁ ଜଣାଇଛନ୍ତି କୃତଜ୍ଞତାର କୋଟି ପ୍ରଣାମ ।

ସ୍ୱପ୍ନରେ ଲାଗିଲା ଡେଣା । ବାଲିଗୁଡ଼ା ବଗ୍ରାମିଲ୍ଲା ଗାଁର ମେଧାବୀ ଛାତ୍ର ଇଫୁ । ଡାକ୍ତର ହେବାକୁ ପିଲାଟି ଦିନରୁ ଇଛା । ଜେଣ ଦିନ ମଜୁରିଆ ପୁଅ ଭାବେ ଏ ସ୍ବପ୍ନକୁ ପୂରଣ କରିବାକୁ କିନ୍ତୁ ସେ କରିଛନ୍ତି ଢ଼େର ପରିଶ୍ରମ । ଫାଷ୍ଟକ୍ଳାସ କ୍ୟାରିୟର ଥିବା ଇଫୁ ଚଳିତ ବର୍ଷ ନିଟରେ ସଫଳ ହେଲେ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଲେ । ନାମଲେଖା ସିନ ହୋଇଗଲା, ମାତ୍ର ଫି ଭରିବେ କେଉଁଠୁ? କେମିତି ଆଗକୁ ଚାଲିବ ଡାକ୍ତରୀ ପାଠପଢ଼ା । ହଷ୍ଟେଲ ଫି ସାଙ୍ଗକୁ ଆନୁଷଙ୍ଗିକ ଖର୍ଚ୍ଚ । କିଏଦେବ ଟଙ୍କା ।

ଏମିତି ଚିନ୍ତା ମାଡ଼ି ଆସିଲା, ହାର ମାନିନାହାନ୍ତି କିନ୍ତୁ ଇଫୁ । ବିଲରେ ଖଟୁଛନ୍ତି, ମଜୁରିଆ ଭାବେ କାମ କରୁଛନ୍ତି । ଗତ ୧୦ ଦିନ ଭିତରେ ସେ ୨ ହଜାର ଟଙ୍କା ସଂଚୟ କରିଛନ୍ତି । ଡିସେମ୍ବର ୧୫ରୁ କ୍ଳାସ ଆରମ୍ଭ ହେବ । ଆଶା ରଖିଥିଲେ ଧାରଉଧାର କରି କଷ୍ଟେମଷ୍ଟେ ପାଠପଢ଼ା ଆରମ୍ଭ କରିବେ । ମାତ୍ର ମେଧାବୀ ଇଫୁଙ୍କ ଏ ସଂଘର୍ଷର କାହାଣୀ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହେବାର ୬ ଘଣ୍ଟା ମଧ୍ୟରେ ପାଠପଢ଼ା ପାଇଁ ପାଣ୍ଠି ମଞ୍ଜୁର କରିଛନ୍ତି । ହଷ୍ଟେଲ ଫି ପାଇଁ ଇଫୁ ଆଉ ମଜୁରିଆ ସାଜିବେନି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ନିବାସକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପରେ ଇଫୁଙ୍କ ସ୍ବପ୍ନ ଏବେ ସାକାର ହେବ । ବିନା ବାଧାରେ ଇଫୁ ମଲ୍ଲିକ ହେବେ ଡାକ୍ତର ଇଫୁ ମଲ୍ଲିକ ।