spot_img

Latest Posts

ସେଦିନର ମେଧାବୀ ନବୀନ ଆଜି ସାଜିଛନ୍ତି ଡାକ୍ତର ନବୀନ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗ୍ରହଣ କଲେ ନିଯୁକ୍ତି ପତ୍ର

ଭୁବନେଶ୍ୱର: ପ୍ରସ୍ଫୁଟିତ ହୋଇଛି ୨୦ ବର୍ଷ ତଳର ପ୍ରତିଭା। ସେଦିନର ମେଧାବୀ ନବୀନ ଆଜି ସାଜିଛନ୍ତି ଡାକ୍ତର ନବୀନ । ୨୦ ବର୍ଷ ତଳେ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ପୁରସ୍କାର ଗ୍ରହଣ କରିଥିବା ନବୀନ କୁମାର ପରିଡ଼ା ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ଗ୍ରହଣ କରୁଛନ୍ତି ଡାକ୍ତର ଭାବେ ନିଯୁକ୍ତି ପତ୍ର।

ଏହାକୁ ଆପଣ ସଂଯୋଗ କି ସୌଭାଗ୍ୟ ବି କହିପାରିବେ। ସେଦିନର ସେଇ ସାନ ପିଲା ଆଜି ଡାକ୍ତର ନବୀନ କୁମାର ପରିଡ଼ା ଭାବେ ପରିଚିତ ହୋଇଛି । କେନ୍ଦ୍ରାପଡ଼ାର ଏକ ମଫସଲ ଗାଁରେ ଜନ୍ମ ହୋଇଥିଲେ ନବୀନ। ସପ୍ତମ ବୋର୍ଡ ପରୀକ୍ଷାରେ ଜିଲ୍ଲା ଟପ୍ପର ହେବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଓ ବିଜୁ ବାବୁ ପଢ଼ିଥିବା ରେଭେନ୍ସା କଲେଜିଏଟ୍ ସ୍କୁଲରେ ପଢିବା ପାଇଁ କଟକ ଆସିଥିଲେ। ମାତ୍ର ଏହି ସମୟରେ ସେ ଅନେକ ବାଧାବିଘ୍ନ ଦେଇ ଗତି କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ନେବା ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ତାଙ୍କ ନାମ ସହ ନିଜ ନାମର ସମାନତା ଯୋଗୁଁ ସେ ଅଧିକ ଉତ୍ସାହିତ ହୋଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ହାତରୁ ଲଗାତାର ୨୦୦୨ ଓ ୨୦୦୩ରେ ପୁରସ୍କାର ପାଇ ନବୀନ କୁମାର ପରିଡ଼ା ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇଥିଲେ। ପାରିବାରିକ ଅଭାବ ଅନଟନ, ବାପାଙ୍କ ଅସୁସ୍ଥତାରେ ଭାଙ୍ଗି ନ ପଡି ନିଜର ଯାତ୍ରା ଜାରି ରଖିଥିଲେ। ସ୍କୁଲ ଶିକ୍ଷା ସାରିବା ପରେ ଯୁକ୍ତ ଦୁଇ ଓ ପରେ ଏମକେସିଜି ମେଡିକାଲ କଲେଜରୁ ଏମବିବିଏସ୍ ପାଠ ଶେଷ କରିଥିଲେ। ମେଡିକାଲ୍ ଅଫିସର ନିଯୁକ୍ତି ପ୍ରକ୍ରିୟାରେ ସଫଳତା ହାସଲ କରି ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତି ପତ୍ର ଗ୍ରହଣ କରୁଛନ୍ତି ।

Latest Posts

Don't Miss