ସେଲ୍ଫି ନେଲା ବେଳେ ଦେଖିଦେଲେ ଭଙ୍ଗା ଫୋନ୍, ମୁଖ୍ୟମନ୍ତ୍ରୀ ଦେଲେ ନୂଆ ମୋବାଇଲ୍

1 min read

ଭୁବନେଶ୍ୱର: ଇଫୁ ମଲ୍ଲିକଙ୍କୁ ନୂଆ ସ୍ମାଟ୍ ଫୋନ୍ ଦେଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଲା ବେଳେ ଫୋନଟି ଭାଙ୍ଗି ଯାଇଥିବା ଦେଖିନେଇଥିଲେ ମୁଖ୍ୟମନ୍ତ୍ରୀ  । ପରେ ଇଫୁଙ୍କୁ ମୁଖ୍ୟମନ୍ତ୍ରୀ ଏକ ନଆ ଫୋନ ଉପହାର ଦେଇଥିଲେ  । ଯାହାକୁ ଖୁସିରେ ବର୍ଣ୍ଣନା କରିଛନ୍ତି ଇଫୁ ମଲ୍ଲିକ  ।   ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ। ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ମେଡିକାଲ ପଢିବା ପାଇଁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ଅର୍ଥାଭାବ ତାଙ୍କ ବାଟ ଓଗାଳିଥିଲା ।

ସାମାଜିକ ଗଣମାଧ୍ୟମରୁ ଏ ସଂପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ମେଡିକାଲ ପଢିବା ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଦେବେ ବୋଲି ଘୋଷଣା କରିଥିଲେ। ଏଥିସହ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅତ୍ୟନ୍ତ ଭାବବିହ୍ବଳ ହୋଇ ହୃଦୟରୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଜଣାଇଛନ୍ତି ଇଫୁ ।