ଏସିଆନ ଗେମ୍ସ ମେଡାଲ ବିଜେତା କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ

1 min read

ଭୁବନେଶ୍ବର: ଏସିଆନ ଗେମ୍ସ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଅଭିନନ୍ଦନ ଜଣାଇବା ସହ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଦେଲେ ପ୍ରତିଶ୍ରୁତି । କିଶୋର ଏସିଆନ ଗେମ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ଥ୍ରୋ କରିବା ସହ ରୌପ୍ୟ ପଦକ ହାସଲ କରିଥିଲେ ।

କିଶୋର ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଐତିହାସିକ ସଫଳତା ପାଇଁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବର୍ଦ୍ଧନା ଉତ୍ସବରେ 5T ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କ୍ରୀଡ଼ାବିତମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରିବେ ସେ ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭଲିନ୍ ତାରକା ଉଦାହରଣ ପାଲଟିଛନ୍ତି । ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପଞ୍ଚମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ I କିଶୋର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି ।