ବ୍ୟାପକ ହେବ ମିଲେଟ୍‌ ମିଶନ, ପୁଷ୍ଟିକର ଖାଇ ସୁସ୍ଥ ରହିବ ଓଡ଼ିଶା

ଭୁବନେଶ୍ବର: ମାଣ୍ଡିଆ ପୁଷ୍ଟିର ଭଣ୍ଡାର। ଗରିବ ଲୋକଙ୍କ ଉନ୍ନତି, ଲୋକଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇଵା ମିଲେଟ ମିଶନର ଲକ୍ଷ୍ୟ। ଆଗରୁ ୧୯ଟି ଜିଲ୍ଲାରେ ମିଲେଟ୍ ମିଶନ୍ କାର୍ଯ୍ୟକାରୀ ହେଉଥିଲା। ଏବେ ରାଜ୍ୟର ସବୁ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମିଲେଟ ମିଶନ ସରକାରଙ୍କ ଯୋଜନା ନୁହେଁ ଲୋକଙ୍କ ଯୋଜନା। ଏଥିରେ ୨ଲକ୍ଷ ଚାଷୀ, ୧୨ଶହ ମିଶନ ଶକ୍ତି ଗ୍ରୁପ୍ ସାମିଲ ହୋଇଥିବା ମଣ୍ଡିଆ ଦିବସରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ମାଣବସା ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସାରା ରାଜ୍ୟରେ ପାଳନ କରାଯାଉଛି। ମଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟସରକାର ମିଲେଟ ମିଶନ ଆରମ୍ଭ କରିଥିଲେ। ଚଳିତ ବର୍ଷ ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ମାଣ୍ଡିଆ ସଂଗ୍ରହ କରାଯାଉଛି। ମିଲେଟ ମିଶନ ୨୦୩୬ ମସିହା ପର୍ଯ୍ୟନ୍ତ ୨୦୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ପୁଷ୍ଟିକର ଖାଦ୍ୟଶସ୍ୟର ପ୍ରଚାର ପ୍ରସାର ସହ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ମିଲେଟ ମିଶନ ଲକ୍ଷ୍ୟ।

୧୫ଟି ଜିଲ୍ଲାରେ ପିଡିଏସ ମାଧ୍ୟମରେ ସରକାର ମଣ୍ଡିଆ ଯୋଗାଉଛନ୍ତି। ରାଜ୍ୟ ସରକାରଙ୍କ ମିଲେଟ ମିଶନକୁ କେନ୍ଦ୍ର ସରକାର ଭୁରି ଭୁରି ପ୍ରଶଂସା କରିଥିବା ବେଳେ ଜାତିସଂଘର ମାନ୍ୟତା ମିଳିଛି। ଲୋକସେବା ଭବନରେ ମଣ୍ଡିଆ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ, ଉନ୍ନୟନ କମିଶନର ପ୍ରଦୀପ ଜେନା, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ  ।