ରାବିଡ଼ି ଖାଇଲେ ମୁଖ୍ୟମନ୍ତ୍ରୀ, କହିଲେ ବହୁତ ବଢ଼ିଆ

କଟକ: ରାବିଡ଼ି ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ବହୁତ ବଢ଼ିଆ । ଆଜି କଟକ ଅରିଲୋରେ ଓମଫେଡ ମେଗା ଠାଏରୀ ଫାର୍ମ ଉଦଘାଟନ କରିଥିଲେ । ଏହାସହ ଅତ୍ୟାଧୁନିକ ମେଗା ଡାଏରୀ ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ଏହି ଅବସରରେ ଡାଏରୀ ଫାର୍ମ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଣ୍ଟରେ ପ୍ରସ୍ତୁତ ଦହି ଓ ରାବିଡ଼ି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ରାବିଡ଼ି ଖାଇବା ପରେ ଏହାର ସ୍ବାଦକୁ ବହୁତ ପ୍ରଶଂସା କରିଥିଲେ । ଏହାସହ ପୂର୍ବ ଭାରତର ଏହି ପ୍ଲାଣ୍ଟର ଅତ୍ୟାଧୁନିକ ପ୍ରଣାଳିକୁ ପ୍ରଶଂସା କରିଥିଲେ ।

ଓଡ଼ିଶାରେ ଦୁଗ୍ଧ ଉତ୍ପାଦନର ଏକ ନୂଆ ଯୁଗ ଆରମ୍ଭ ହୋଇଛି । ପ୍ଲାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍‌ଧ ଉତ୍ପାଦନ ହେବ । ପରେ ୧୦ ଲକ୍ଷ ଲିଟରକୁ ବୃଦ୍ଧି ପାଇବ ଉତ୍ପାଦନ । ଦୈନିକ ୨ ଲକ୍ଷ ଲିଟର ଗୁଣ୍ଡ ଦୁଗ୍‌ଧ ଉତ୍ପାଦିତ ହେବ । ଦୁଗ୍‌ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ପାଇଁ ୨୬୩ କୋଟି ଟଙ୍କା ବ୍ୟୟ ହୋଇଛି । ଏଥିରେ ନିଯୁକ୍ତି ବଢିବା ସହ ୬ ଲକ୍ଷ ଦୁଗ୍‌ଧ ଚାଷୀ ଉପକୃତ ହେବେ । ସ୍କୁଲ, କଲେଜ, ଛାତ୍ରଛାତ୍ରୀଙ୍କ ସହ ବହୁ ପରିଦର୍ଶକ ବୁଲି ପାରିବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟ ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବ ।

ପ୍ଳାଣ୍ଟର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓମ୍‌ଫେଡର ବିକାଶରେ ପ୍ରାୟ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି, ‘ଚାଷୀଙ୍କ ସ୍ୱର୍ଥ ରକ୍ଷା ପାଇଁ ଓମଫେଡ୍ କାର୍ଯ୍ୟ କରିଆସୁଛି । ପ୍ଳାଣ୍ଟରୁ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରସେସିଂ କରାଯିବା ସହ, ସ୍କିମ୍ଡ ମିଲ୍ , ପନୀର ଓ ଫ୍ଳେଭର ମିଲ୍କ ମଧ୍ୟ ଉତ୍ପାଦନ କରାଯିବ । ଏହା ଚାଷୀଙ୍କ ରୋଜଗାର ବଢ଼ାଇବ । ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଚାଷୀଙ୍କ ଆୟ ବଢ଼ାଇବା ।’

ପ୍ରସେସିଂ ପ୍ଳାଣ୍ଟ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କାଳରେ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ୬ ହଜାର ଟଙ୍କା ଲେଖାଏଁ ସହାୟତ ଯୋଗାଇ ଦେଇଥିବା ମୁଖ୍ୟମନ୍ତ୍ରୀ କହିବା ସହ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ।

ପୁଷ୍ଟି ନିରାପତ୍ତାରେ ଦୁଗ୍ଧର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ ଏବଂ ଶ୍ୱେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି ।

Leave a Reply