ପଞ୍ଚାୟତ ପ୍ରତିନିଧିଙ୍କୁ ମାଆ ତାରାତାରିଣୀଙ୍କ ପ୍ରସାଦ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପାଇଁ ୨୧୪୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଗଞ୍ଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରଥମେ ତାରାତାରିଣୀ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ପରେ ମନ୍ଦିରର ବିକାଶ କାମ ତଦାରଖ କରିବା ସହ ୨୦୨୩ ସୁଦ୍ଧା କାମ ଶେଷ ହେବ ବୋଲି ଘୋଷଣା କରିଥିଲେ । ଏହାସହ ଜିଲ୍ଲା ପଞ୍ଚାୟତ ପ୍ରତିନିଧିମାନଙ୍କୁ ମନ୍ଦିର ପରିସରରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ । କରୋନା ମହାମାରୀ ସମୟରେ ଭଲ କାମ କରୁଥିବାରୁ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ପ୍ରଶଂସା କରିବା ସହ ମାଆଙ୍କ ପ୍ରସାଦ ଓ ଲଡୁ ବାଣ୍ଟି ଥିଲେ ।

ସୂଚନାଯୋଗ୍ୟ, କରୋନା ପ୍ରଥମ ଲହର ଗଞ୍ଜାମ ଜିଲ୍ଲାରେ ବେଶ ପ୍ରଭାବ ପକାଇଥିଲା । ଲକଡାଉନ ଘୋଷଣା ପରେ ଦେଶ, ବିଦେଶରେ ରହୁଥିବା ବହୁ ଲୋକ ଘରକୁ ଫେରିଥିଲେ । ସଂକ୍ରମିତ ହୋଇ ଲୋକେ ଫରିବା କାରଣରୁ ଜିଲ୍ଲାରେ ମହାମାରୀ ଜଟିଳ ସ୍ଥିତି ସୃଷ୍ଟି କରିଥିଲା । କରୋନା ମୁକାବିଲା ପାଇଁ ସେ ସମୟରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ଷମତା ପାଇବା ପରେ ଜନପ୍ରତିନିଧିମାନେ ମଧ୍ୟ ନିଷ୍ଠାର ସହ କାମ କରିଥିଲେ । ଯାହା କରୋନା ମୁକାବିଲାରେ ବେଶ ସହାୟକ ହୋଇଥିଲା । ଜନପ୍ରତିନିଧିଙ୍କ ସେବା ଯୋଗୁଁ ଜିଲ୍ଲାରେ କରୋନା ମହାମାରୀକୁ କାବୁ କରାଯାଇପାରିଥିଲା ଓ ଦେଶ ପାଇଁ ଗଞ୍ଜାମ ଉଦାହରଣ ପାଲଟି ଥିଲା ।

ଜିଲ୍ଲା ଗସ୍ତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ସରପଞ୍ଚ, ଅନ୍ୟ ପଞ୍ଜାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ କାମକୁ ମନେ ପକାଇଥିଲେ । ସେମାନଙ୍କ ସହ ଆଲୋଚନା କରିବା ସହ ମାଆ ତାରାତାରିଣୀଙ୍କ ପ୍ରସାଦ ଓ ଲଡୁ ବଣ୍ଟନ କରିଥିଲେ ।

Leave a Reply