୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ଯୋଜନାରେ ୧୨୭୨ କୋଟି ଟଙ୍କା ସହାୟତା ପ୍ରଦାନ

1 min read
CM Naveen Patnaik Distributed Kalia Assistance To Farmers

ଭୁବନେଶ୍ୱର: ଚାଷୀ ପାଇଲେ କାଳିଆ ଯୋଜନାରେ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି ।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ । ମୁଁ ଚାହେଁ, ଚାଷୀର ରୋଜଗାର ବଢୁ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’

କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । କିନ୍ତୁ, ଆମର ଚାଷୀଭାଇ ମାନଙ୍କ ସାହସ ଓ ପରିଶ୍ରମ କୃଷି କ୍ଷେତ୍ରରେ ଉନ୍ନତି ଆଣିଛି । ଚାଷୀଭାଇ ସଞ୍ଜିବନୀ ପରି ଦେଶର ଅର୍ଥନୀତିକୁ ରକ୍ଷା କରିପାରିଛି । ‘ଚାଷୀର ତ୍ୟାଗକୁ, ପରିଶ୍ରମକୁ ମୁଁ ପ୍ରଣାମ କରୁଛି’ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ ।

ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରି ଆସିଛନ୍ତି ଏବଂ କରି ଚାଲିବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଭାଇଙ୍କ ପାଇଁ ବିଭିନ୍ନ ଯୋଜନା କରି ଆସୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ- MSPକୁ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି । ଏହା ସହିତ କୃଷିଜାତ ଜିନିଷ ପାଇଁ ବ୍ୟବସାୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚାଷୀଭାଇମାନେ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ନେବେ ଏବଂ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ସୁନ୍ଦରଗଡ଼ର କୁମାରୀ ମାରାଇ, ବରଗଡ଼ର ମାଣିକ ପ୍ରଧାନ, ନବରଙ୍ଗପୁରର ଘନ ପାଇକ, ନୟାଗଡ଼ର ଦାଶରଥି ସାହୁ ଓ ମୟୂରଭଞ୍ଜର ଚାଷୀମାନେ କାଳିଆ ସହାୟତା ଦ୍ବାରା କିପରି ଚାଷ ସହିତ ଛେଳି ପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ସେମାନେ କିପରି ଲାଭବାନ୍‌ ହୋଇଛନ୍ତି । ସେ ବିଷୟରେ କହି କାଳିଆ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ- ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ୍ ପରିସ୍ଥିତି ସତ୍ତ୍ୱେ ଚାଷୀମାନେ ଭଲ ଫସଲ ଅମଳ କରି ଓଡ଼ିଶାକୁ ଆଗକୁ ନେଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ବ ଯୋଗୁ ରାଜ୍ୟ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି ବୋଲି ସେ କହିଥିଲେ ।

ଏହି ଅବସରରେ କାଳିଆ ଯୋଜନା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Leave a Reply