ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା

1 min read
CM Naveen Patnaik Distribute BSKY Card In Cuttack And Khordha

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କଟକର ୧୮ ଲକ୍ଷ  ଲୋକ ଏହି ସୁବିଧା ପାଇବେ । ସେହିଭଳି ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ । ଏଥିସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାରେ ୨୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ନିଦର୍ଶନ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ  ସ୍ମାର୍ଟ ହେଲଥ କାର୍ଡ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ । କଟକର ଏସସିବି ମେଡିକାଲ କଲେଜକୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବରେ ଗଢିବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇ ରହିବ । କଟକବାସୀଙ୍କ ପ୍ରିୟ ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ପୁନଃସ୍ଥାପିତ କରାଯାଇ ଏକ ଅତ୍ୟାଧୁନିକ ଲାଇବ୍ରେରୀ ଭାବରେ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ।

CM Naveen Patnaik Distribute BSKY Card In Cuttack And Khordha

ସେହିପରି ବେଗୁନିଆଠାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ମାଟି  ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ଭୂମି। ଓଡ଼ିଆ ସ୍ୱାଭିମାନ ପାଇଁ ଲଢେଇ କରିଥିବା ବୀର ପାଇକମାନଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଆ ଜାତିକୁ ତାର ହକ୍‌ ଦେବା ପାଇଁ ଆମର ଲଢେଇ ଜାରି ରହିବ ।

CM Naveen Patnaik Distribute BSKY Card In Cuttack And Khordha

ମିଶନ ଶକ୍ତିର ମାଆମାନେ ହେଉଛନ୍ତି ନୂଆ ଯୁଗର ସାରଥି । ଖୋର୍ଦ୍ଧାର ମିଶନ ଶକ୍ତିର ମାଆମାନେ ଭଲ କାମ କରୁଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧାରେ ୨୬  ହଜାରରୁ ଅଧିକ ମିଶନ ଶକ୍ତିର ମାଆମାନେ ୪୩୨ କୋଟିରୁ ଅଧିକ ଟଙ୍କା ଋଣ ନେଇ ସାରା ରାଜ୍ୟରେ ରେକର୍ଡ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉଭୟ ଜିଲ୍ଲାରେ ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲଥ କାର୍ଡ ରାଜ୍ୟବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିବା ସହିତ ବିକାଶ କ୍ଷେତ୍ରରେ ସମସ୍ତଙ୍କର ଯୋଗଦାନ ବୃଦ୍ଧି ପାଇବ । ଏହାଦ୍ୱାରା ରାଜ୍ୟ ବିକାଶର ଶିଖର ଛୁଇଁବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି ।

CM Naveen Patnaik Distribute BSKY Card In Cuttack And Khordha

ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଏସକେୱାଇ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି । ସେହି ଦିନ ଠାରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ ହବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦  ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା, ସମସ୍ତେ  ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

CM Naveen Patnaik Distribute BSKY Card In Cuttack And Khordha

ଏହି କାର୍ଯ୍ୟକ୍ରମରେ କଟକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟରେ ବିକାଶର ନୂତନ ଧାରା ସାରା ଦେଶକୁ ରାସ୍ତା ଦେଖାଇଛି ବୋଲି ସେମାନେ କହିଥିଲେ। ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Leave a Reply