ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା, ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ

1 min read
CM Naveen Patnaik Directs For House Damage Assessment Within 7 Days Cyclone Yass

ଭୁବନେଶ୍ୱର: ଦିନରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାତ୍ୟା ‘ୟାସ’ ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସମ୍ପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରିଲିଫ ଓ ପୁନର୍ଗଠନ ସହ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ୍ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ୱଭାବିକ କରିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ସନ୍ଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡ଼କ ଗୁଡ଼ିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ‘ୟାସ’ର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁଁ ବାତ୍ୟା ‘ୟାସ’ର ସଫଳ ମୁକାବିଲା କରାଯାଇ ପାରିଛି । ଜନସାଧାରଣଙ୍କ ସହଯୋଗରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରି ପାରିଛି ।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ୍ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।  କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

CM Naveen Patnaik Directs For House Damage Assessment Within 7 Days Cyclone Yass

ପରିଶେଷରେ ମୁଖ୍ୟମନ୍ତ୍ରୀ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଏହିଭଳି ଦକ୍ଷତାର ସହ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ଆକଳନ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବିଦ୍ୟୁତ୍, ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି । ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ୍ ଯୋଗାଯୋଗ ସ୍ବଭାବିକ ହୋଇଛି । ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଏକ ଉପସ୍ଥାପନା ରଖି କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ୧୨ ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା ।  ୨୦୦ ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା । ମୟୂରଭଞ୍ଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଥିବାର ସେ ସୂଚନା ଦେଇଛନ୍ତି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ୱେ ବନ୍ୟା ଆଶଙ୍କା କମ୍‌ ବୋଲି ପ୍ରକାଶ କରି କହିଛନ୍ତି, ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।

ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଛି ।  ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଡିଜିସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି ।

ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି ।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାତ୍ୟା ସମୟରେ  ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି ।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଗଛ ପଡ଼ି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଅବରୋଧମୁକ୍ତ କରାଯିବ। ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡ଼କ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସନ୍ଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ ।

ବୈଠକରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ । ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Leave a Reply