ବିପର୍ଯ୍ୟୟର ସ୍ଥାୟୀ ମୁକବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସହ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଅ: ନବୀନ

ନୂଆଦିଲ୍ଲୀ: ବିକାଶରେ ବାଧକ ସାଜିଛି ପ୍ରାକୃତିକ ବିପର୍ଯ୍ୟୟ । ସ୍ଥାୟୀ ମୁକବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସହ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାକୁ ନୀତି ଆୟୋଗ ବୈଠକରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଟେଲିକମ୍, ରେଲଓ୍ବେ ଓ ବ୍ୟାଙ୍କିଙ୍ଗ ସେବା ଏବେ ବି ରାଜ୍ୟର ଅନେକ ଅଞ୍ଚଳରେ ପହଞ୍ଚି ପାରିନି, ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛନ୍ତି । ଏହାସହ ଗରିବ ଲୋକଙ୍କୁ ପକ୍କାଘର ଦେବାକୁ ଆବାସ ଯୋଜନାରେ ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ବଞ୍ଚିତ ହେଉଥିବାରୁ ସେନେଇ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନୀତି ଆୟୋଗ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଦୋହଲାଇ ଦେଉଛି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ। ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇବା ସହ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଆଯାଉ ।’

ସେହିପରି ଟେଲିକମ୍, ରେଲଓ୍ବେ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଶା ଐତିହାସିକ ଭାବେ ଅବହେଳିତ । ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାରେ ସର୍ବନିମ୍ନ ଘନତା ଥିବାରୁ ଏସବୁ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକାରିତାରେ ସମସ୍ୟା ରହିଛି । କେତେକ କ୍ଷେତ୍ରରେ ପ୍ରକୃତ ଚାଷୀ ଏହାର ସୁବିଧା ପାଇ ପାରୁନାହାନ୍ତି । ନୀତି ଆୟୋଗ ଏହାର ଅନୁଧ୍ୟାନ କରି ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି  ଯୋଜନା ସଂପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସେହିପରି ଗୁଜରାଟର ରାନୀ କା ଭାଭ୍କୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ଦେବାରେ ସେତେବେଳର ସରକାରଙ୍କ କାମ ପ୍ରଶଂସନୀୟ । ତେବେ ବିଶ୍ବସ୍ତରରେ ଐତିହ୍ୟ କ୍ଷେତ୍ରର ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଦାବି ଜଣାଇଛନ୍ତି । ଏଏସଆଇର ରୂପାନ୍ତରଣ ସହ ଆମସାର ଆକ୍ଚରେ ସଂଶୋଧନ ହୋଇ ବିଶ୍ବସ୍ତରୀୟ ହେବା ଆବଶ୍ୟକ । ଏହାଦ୍ବାରା କୋଣାର୍କ ଭଳି ଐତିହ୍ୟସ୍ଥଳୀର ସଂରକ୍ଷଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି ।

ଭାରତ ବିଶ୍ବ ଅର୍ଥନୀତି କ୍ଷେତ୍ରରେ ସୁପରପାଓ୍ବାର ହେବାର କ୍ଷମତା ରଖେ । ସାମଗ୍ରିକ ବିକାଶ ଦ୍ବାରା ଏହା ସମ୍ଭବ । କେନ୍ଦ୍ର ଓ ରାଜ୍ୟ ଉଭୟ ଦୁଇଟି ରାଜନୈତିକ ଶକ୍ତି ହୋଇଥିବାରୁ କେତେକ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ହୋଇଥାଏ । ନୀତି ଆୟୋଗ ଏ ଦିଗରେ ଅମ୍ବୁଡସମ୍ୟାନ୍ ପରି କାମ କରି ସମାଧାନ କରିପାରିବ । ଫଳରେ ସଂଘୀୟ ବ୍ୟବସ୍ଥାରେ ସମନ୍ବୟ ରକ୍ଷା କରି ଯୋଜନାଗୁଡିକର ତ୍ବରିତ କାର୍ଯ୍ୟାନ୍ବୟନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ କରୋନା ନିୟନ୍ତ୍ରଣରେ ସଫଳତାକୁ ପ୍ରଶଂସା କରିବା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ଗୌରବାନ୍ବିତ କରିଥିବା କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।