ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିଥିବା ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସମର୍ଥନ କରିଥିଲେ । ସୁଶୀଳା ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଦୀପ୍ତ ।
କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ନରସିଂହ ଦୁଃଖ ପ୍ରକାଶ କରିଛନ୍ତି । ସୁଶୀଳାଙ୍କୁ ସମ୍ମାନ ଜଣାଇ ଗୃହକୁ ମୁଲତବି ରଖିବାକୁ ନରସିଂହ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ସିପିଆଇ ନେତା ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଗୃହରେ ଶୋକ ପ୍ରକାଶ କରିଥିଲେ ।
୭୪ ବର୍ଷୀୟା ସୁଶୀଳା ଦେବୀଙ୍କ ପରଲୋକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୁଶୀଳାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସୁଶୀଳାଙ୍କୁ ସମ୍ମାନ ଦେଇ ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ବାଚସ୍ପତି ଘୋଷଣା କରିଛନ୍ତି । ଗୃହ କାର୍ଯ୍ୟ ଅପରାହ୍ଣ ୩ଟା ଯାଏଁ ମୁଲତବି ରଖାଯାଇଛି ।