ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ସ୍ଥିତି ନିୟନ୍ତ୍ରଣାଧୀନ, ଭୟଭୀତ ନ ହେବାକୁ ଲୋକଙ୍କୁ ଦେଲେ ପରାମର୍ଶ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍‌ ରହିଛି । ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ଦେଶର ବଡ଼ ବଡ଼ ସହରରେ ସକ୍ରିୟ ମାମଲା କମିବା ଆରମ୍ଭ ହେଲାଣି । ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଖୁବ କମ୍‌ ରୋଗୀଙ୍କୁ ହସ୍‌ପିଟାଲ ଯିବାକୁ ପଡ଼ୁଛି । ଏ ସବୁ ସୂଚନା ଉତ୍ସାହପ୍ରଦ ହେଲେ ମଧ୍ୟ ଆମ ସମସ୍ତଙ୍କୁ ସଂପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡ଼ିବ ।

ଅନ୍ୟପକ୍ଷରେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ବିଶେଷକରି ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଂକା ଥିବା ନାଗରିକ ମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ମାନେ ମଧ୍ୟ ସମ୍ମୁଖ ଯୋଦ୍ଧା ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ ସମ୍ପର୍କରେ ଆମର ସଚେତନତା ଓ ନିୟମର ଦୃଢ ଅନୁପାଳନ ପଦକ୍ଷେପ ଜାରି ରହିବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ରଣନୀତି ଏବଂ ଘରେ ରହୁଥିବା କୋଭିଡ ରୋଗୀଙ୍କର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଏଯାବତ୍ ରାଜ୍ୟରେ ୯୨.୭ ପ୍ରତିଶତ ପ୍ରଥମ ଡୋଜ ଓ ୭୦.୭ ପ୍ରତିଶତ ଦ୍ୱିତୀୟ ଡୋଜ ନେଇସାରିଛନ୍ତି। ୧୫ ରୁ ୧୮ ବୟସ୍କ କିଶୋକ ମାନଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟିକାକରଣ ହୋଇଛି ଏବଂ ୧୪ ପ୍ରତିଶତ ବୁଷ୍ଟର ଡୋଜ ଟିକାକରଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ । ବୈଠକରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ, କଟକ ଓ ମୟୂରଭଞ୍ଜର ଜିଲ୍ଲାପାଳ, ଭୁବନେଶ୍ୱର ଓ କଟକର ମ୍ୟୁନିସ୍‌ପାଲ କମିଶନର ପ୍ରମୁଖ ସେମାନଙ୍କ ନିଜ ନିଜ କ୍ଷେତ୍ରର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ବୈଠକରେ ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

Leave a Reply