spot_img

Latest Posts

କୋଭିଡ ଚିକିତ୍ସା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ସମ୍ପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ପୃଥିବୀରେ ଓମିକ୍ରନ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଟି କେସ୍‌ ଦେଖାଦେଇଛି । ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ ।

ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇ କହିଛନ୍ତି ଯେ,  ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଅଭିଯାନ କରାଯାଉ  । ଦ୍ବିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ କରି ରଖାଯାଉ । ଏହାଦ୍ବାରା ହସ୍‌ପିଟାଲ ଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ । ପିଲାମାନଙ୍କ ମଧ୍ୟରେ ଅଧିକ ହସ୍‌ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ । ପୋଲିସ ବିଭାଗ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ପ୍ରଥମ ଓ ଦ୍ବିତୀୟ ଲହରୀରେ ଯେଉଁଭଳି ଭଲ କାମ ହୋଇଥିଲା, ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ । ଜିଲ୍ଲାପାଳ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟ ମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ । ହସ୍‌ପିଟାଲ ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ।

ନୂଆ ଭାରିଆଣ୍ଟ ଖୁବ ଜୋରରେ ବ୍ୟାପୁଥିବାର ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଯୀ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକ ସହିତ BSKY ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ବାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ବରାନ୍ବତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ସେ କହିଥିଲେ । ବୈଠକରେ ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନେ ଯୋଗ ଦେଇଥିଲେ ।

Latest Posts

Don't Miss