ସୁରଭି କାର୍ଯ୍ୟକ୍ରମରେ ଏମିତି କଥା କହି ପିଲାଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ‘ପିଲାମାନେ ତୁମେମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଛ । ସୁରଭି କର୍ଯ୍ୟକ୍ରମ ତୁମକୁ ଏକାଠି କରିଛି । ତୁମ ପ୍ରତିଭା ଦେଖାଇବା ପାଇଁ ସୁଯୋଗ ସୃଷ୍ଟି କରିଛି । ନୂଆ ଅଭିଜ୍ଞତା ନେଇ ତୁମେମାନେ ପୁଣି ସ୍କୁଲକୁ ଫେରିବ । ପିଲାମାନେ ତୁମ ଜ୍ଞାନକୁ କେବଳ ସ୍କୁଲ ବହି ଭିତରେ ସୀମିତ ରଖ ନାହିଁ । ଆଜିକାଲି ହେଉଛି ଜ୍ଞାନର ଯୁଗ । ତେଣୁ ସବୁବେଳେ ଜ୍ଞାନକୁ ଅପ୍‌ଡେଟ୍‌ ରଖ । କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, କଳା ଓ ସମାଜସେବା ଯାହା ତୁମକୁ ଭଲ ଲାଗୁଛି ସେଥିରେ ଉତ୍କର୍ଷ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କର । ଜୀବନରେ ସମସ୍ୟା ରହିବ, କିନ୍ତୁ ତାକୁ ସାହସର ସହ ମୁକାବିଲା କର ।’ ସୁରଭି କାର୍ଯ୍ୟକ୍ରମର ଉଦ୍‌ଯାପନ ଦିବସରେ ଏ ହେଉଛି ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେଇଆ ହିଁ ପ୍ରକୃତ ଶିକ୍ଷା ଯାହା ଆମ ଜୀବନରେ ଆସୁଥିବା ସମସ୍ତ ଚାଲେଞ୍ଜେସ୍‌କୁ ସକରାତ୍ମକଭାବେ ମୁକାବିଲା କରିବା ଶିଖାଇଥାଏ । ତେଣୁ ଆତ୍ମ ବିଶ୍ୱାସର ସହ ଆଗକୁ ବଢ଼ । ସକରାତ୍ମକ ମନୋଭାବ ନେଇ କାମ କର । ସଫଳତା ତୁମର ହିଁ ହେବ । ଭଲ ମଣିଷ ହେବାକୁ ଚେଷ୍ଟା କର । ବାପା ମା’ଙ୍କ ସ୍ୱପ୍ନ ପୂରଣ କର ।

ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ତେଣୁ ପାଠପଢ଼ା ଜାରି ରଖ । ସବୁ ଦିନ ସ୍କୁଲ୍‌ ଯିବ । ଅନ୍ୟମାନଙ୍କୁ ମଧ୍ୟ ସ୍କୁଲ ଆସିବାକୁ ଉତ୍ସାହିତ କର ।

ସୁରଭି କାର୍ଯ୍ୟକ୍ରମ ନଭେମ୍ୱର ୧୪ ଶିଶୁ ଦିବସ ଦିନ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଛି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ସମୀର ଦାଶ, ଅଶୋକ ପଣ୍ଡା ପ୍ରମୁଖ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ନିର୍ଦ୍ଦେଶକ ବି.ଏସ୍‌. ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଏଠାରେ ହୋଇଥିବା ପିଲାମାନଙ୍କ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିଥିଲେ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ')}

Leave a Reply