ବିନା ଭୟ ଓ ଅନୁଗ୍ରହରେ କାର୍ଯ୍ୟ କରୁ ଗଣମାଧ୍ୟମ: ମୁଖ୍ୟମନ୍ତ୍ରୀ

କଟକ: ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଆମର ବିଶାଳ ସାଂସ୍କୃତିକ ଐତିହ୍ୟ କୁ ବଜାୟ ରଖିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ବିନା ଭୟ ଓ ଅନୁଗ୍ରହରେ କର୍ତ୍ତବ୍ୟ ସମ୍ପନ୍ନ କରୁ ଗଣମାଧ୍ୟମ । ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଆଗକୁ କହିଥିଲେ,  ଲୋକଙ୍କ ବିଶ୍ୱାସ ଭରସାରେ ଗଣମାଧ୍ୟମ ଚାଲିଛି । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ବାସ୍ତବିକ ସମସ୍ୟାକୁ ଗୁରୁତ୍ୱ ଦେଉ ଗଣମାଧ୍ୟମ । ଲୋକଙ୍କ ସ୍ୱର ହେଉ ଗଣମାଧ୍ୟମ । ବଳିଷ୍ଠ ଗଣତାନ୍ତ୍ରିକ ମୂଲ୍ୟବୋଧର ଦେଶ ହେଉଛି ଭାରତ । ଗଣମାଧ୍ୟମ ଲୋକଙ୍କ ସ୍ବର ହୋଇଥିବାରୁ ଗଣତନ୍ତ୍ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉ  । ଏହି ଅବସରରେ ସ୍ବାଧୀନତାସଂଗ୍ରାମୀଙ୍କୁ ପ୍ରଣାମ ଜଣାଇଲେ ନବୀନ  । ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ବ ।

ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମ ନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ । ସ୍ବାଧୀନତା ସଂଗ୍ରାମରେ ସତ୍ୟ ଓ ଅଂହିସା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସ୍ବାଧୀନତାର ୭୫ ବର୍ଷ ଅବସରରେ ସମାଜରେ ସବୁ ସ୍ତରରେ ଏଭଳି ମୂଲ୍ୟବୋଧ ସୁରକ୍ଷା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆସନ୍ତାକାଲି ଅଗଷ୍ଟ କ୍ରାନ୍ତି ଦିବସ । ଆମ ଇତିହାସର ଏକ ରେଡ ଲେଟର ଡେ ।

ଦୈନିକ ଓଡିଆ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମଭୂଷଣ ପ୍ରତିଭା ରାୟ, ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରୀ ମହତାବଙ୍କ ସମେତ ଅନେକ ସମ୍ମାନୀତ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉଦବୋଧନରେ ପ୍ରଜାତନ୍ତ୍ରକୁ ଶୁଭେଚ୍ଛା ଦେବା ସହ ଗଣମାଧ୍ୟମର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।