spot_img

Latest Posts

ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପ୍ରୋଜେକ୍ଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ଯୁଗ । କଟକରୁ ପୁରୀ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପ୍ରୋଜେକ୍ଟକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ଏହା ଭୁବନେଶ୍ବର ଏୟାରପୋର୍ଟ ଛକରୁ କଟକ ନେତାଜୀ ବ୍ରିଜ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ।  ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ ପୁରୀକୁ ସଂଯୋଗ କରିବ । ରାଜ୍ୟ ନିଜ ଖର୍ଚ୍ଚରେ ଏହି ପ୍ରକଳ୍ପକୁ ପୂରା କରିବ । ଆଗାମୀ ଦିନରେ ମେଟ୍ରୋ ପ୍ରୋଜେକ୍ଟ ନୂଆ ଓଡ଼ିଶାର ମାଇଲଖୁଣ୍ଟ ସାଜିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବର୍ଷ ବର୍ଷର ଦାବି ଥିଲା । ଲକ୍ଷ ଲକ୍ଷ ଲୋକଙ୍କର ଆଶା ଥିଲା । ସେଥିରେ ପରିପୂର୍ଣ୍ଣତାର ସ୍ବାକ୍ଷର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ, ମୁମ୍ବାଇ ହାଇଦ୍ରାବାଦ, ଚେନ୍ନାଇ ଭଳି ଓଡ଼ିଶାରେ ବି ଆରମ୍ଭ ହେବ ମେଟ୍ରୋ ଯୁଗ । କୌଣସି କେନ୍ଦ୍ରୀୟ ସହାୟତାରେ ନୁହେଁ, ନିଜ ଖର୍ଚ୍ଚରେ ଓଡ଼ିଶାବାସୀଙ୍କୁ ମେଟ୍ରୋ ସେବା ଯୋଗାଇବେ ରାଜ୍ୟ ସରକାର । ସିଲଭର ସିଟିରୁ ସ୍ମାର୍ଟ ସିଟି ହୋଇ ଶ୍ରୀକ୍ଷେତ୍ରକୁ ଗଡ଼ିବ ବହୁପ୍ରତୀକ୍ଷିତ ମେଟ୍ରୋ ଟ୍ରେନ । ଏହା ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ସଂଯୋଗ କରିବ । ଗର୍ବ ଓ ଗୌରବର ଦିନ ପବିତ୍ର ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଏ ଖୁସି ଖବର ଦେବା ସହିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ଏହା ଭୁବନେଶ୍ବର ଏୟାରପୋର୍ଟରୁ କଟକ ନେତାଜୀ ବ୍ରିଜ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ । ଏୟାରପୋର୍ଟ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ହୋଇ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ । ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଆଉ ପୁରୀକୁ ସଂଯୋଗ କରାଯିବ । ମେଟ୍ରୋ ଚଳାଚଳ ନିଷ୍ପତ୍ତି ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପାଇଁ ଫିଲ୍ଡ ଭିଜିଟ୍ କରି ସବୁ ଦିଗରୁ ସରଜମିନ ଅନୁଧ୍ୟାନ କରିଛନ୍ତି ସଚିବ ସ୍ତରୀୟ କମିଟି । 5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର ପ୍ରମୁଖ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ସମୀକ୍ଷା କରିଛନ୍ତି । ଟ୍ବିନସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ହେଲେ, କେଉଁଠି କି ପ୍ରକାର ସମସ୍ୟା ରହିବ, ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ, ସେଥିପାଇଁ କେଉଁ କେଉଁ ସ୍ଥାନରେ ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ, ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ, ସେ ସମସ୍ତ ଦିଗକୁ ନେଇ ମ୍ୟାପ ସହ ଆଲୋଚନା କରିଛନ୍ତି 5T ସଚିବ ।

ଓଡ଼ିଶାରେ ମେଟ୍ରୋ ଟ୍ରେନ କେବଳ ଗମନାଗମନର ସ୍ବର୍ଣ୍ଣିମ ଅଧ୍ୟାୟ ନୁହେଁ । ସମୃଦ୍ଧ ଓଡ଼ିଶାର ପ୍ରଗତି ପଥରେ ଆଉ ଏକ ମାଇଲଖୁଣ୍ଟ । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଓଡ଼ିଶାବାସୀଙ୍କୁ ବିଶ୍ବସ୍ତରୀୟ ଯାତାୟତ ସୁବିଧା ଯୋଗାଇ ଦେବେ । ରାଜ୍ୟର ଅର୍ଥନୈତିକ ଅଗ୍ରଗତିରେ ଏହା ସହାୟକ ହେବ । ପୁଞ୍ଜିନିବେଶର ହବ ହେବାକୁ ଯାଉଥିବା ଓଡ଼ିଶା ନିବେଶକଙ୍କୁ ମଧ୍ୟ ଆକୃଷ୍ଟ କରିବ ।

Latest Posts

Don't Miss