ବିଭିନ୍ନ ବିଭାଗରେ ୧୨୯୪ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ନିଯୁକ୍ତି ପର୍ବ । ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ, ଅର୍ଥ ବିଭାଗରେ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ନିଯୁକ୍ତି ପାଇଛନ୍ତି । ଅର୍ଥ ବିଭାଗରେ ମୋଟ ୨୮୦ ଜଣ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୧୬ ଜଣ କନିଷ୍ଠ ସହାୟକ, ୫ ଜଣ କନିଷ୍ଠ କିରାଣୀ ଓ ୮ ଜଣ କନିଷ୍ଠ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋଟ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କ୍ରୀଡା ବିଭାଗରେ ୧୬୦ ଜଣ କୃତୀ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଗୃହ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଛନ୍ତି ।