ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମାଆମାନଙ୍କ ଜୀବନରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମାଆ ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା’ ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମାଆମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି ।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ, ଆହର କେନ୍ଦ୍ର ପରିଚାଳନା, ମାଛ ଚାଷ ଆଦି ବିଭିନ୍ନ ସରକାରୀ କାମ ମଧ୍ୟ ମିଶନ ଶକ୍ତି ମାଆ ମାନଙ୍କୁ ଯୋଗାଇ ଦିଆଯାଇଛି ।

ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ଶକ୍ତି ତଥା ଗତି ଯୋଗାଇ ଦେବା ସହିତ ସୁସମନ୍ୱୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ନାମରେ ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ମାନେ ଗୋଟିଏ ପ୍ଲାଟଫର୍ମରେ କାମ କରୁଛନ୍ତି । ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୁଡିକ ହେଉଛି – ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ତୃଣମୂଳ ଅନୁଷ୍ଠାନ । ଏହି ମହାସଂଘ ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସେମାନଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜୀବିକା ଓ ଦକ୍ଷତାର ବିକାଶ ତଥା ସେମାନଙ୍କର ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ସହାୟକ ଭୂମିକା ଗ୍ରହଣ କରିଆସୁଛି ।

ଏହି ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ଗୁଡିକୁ ମାଷ୍ଟର ବୁକ୍‌ କିପର, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, Community Resource Person – Community Mobiliser (CRP-CM) ଆଦି ଗୋଷ୍ଠୀ ସହାୟକ କର୍ମଚାରୀମାନେ ସହାୟତା ଯୋଗାଇ ଦେଉଛନ୍ତି । ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ସୁଦୃଢ କରିବାରେ ଏହି ସହାୟକ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ମିଶନ ଶକ୍ତି ଆନ୍ଦୋଳନର ଗୁରୁତ୍ୱ ତଥା ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ । ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମାଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ। । ସବୁ CRP- CM ମାନଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ । ସବୁ CRP- CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ । ଟେଲିଫୋନ ଭତ୍ତା ବାବଦରେ CRP- CM ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ । ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ ।

ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଆଗକୁ ନେବାରେ ପଞ୍ଚାୟତ ସ୍ତରରେ କାମ କରୁଥିବା ଏହି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରୂପାନ୍ତରିତ ଓଡ଼ିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ୟାକେଜ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି ।

Leave a Reply