‘ମୁଁ ଚାହୁଁ ନାହିଁ ଲକଡାଉନ-ସଟଡାଉନ, ମାଗଣାରେ ରାଜ୍ୟବାସୀଙ୍କୁ ଦିଆଯିବ ଟିକା’

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ, ସଟଡାଉନ ଲାଗୁ ହେଉ , ଏହା କଦାପି ମୁଁ ଚାହେଁ ନାହିଁ । ରାଜ୍ୟବାସୀଙ୍କ ଜୀବନ ମୋର ପ୍ରାଧାନ୍ୟ । ଆମେ ଯଦି ସମସ୍ତେ କଟକଣାକୁ ମାନିବା, ତେବେ କୋଣସି ଲକଡାଉନ କିମ୍ବା ସଟଡାଉନ ଆବଶ୍ୟକତା ନାହିଁ । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକା ମାଗଣାରେ ଦିଆଯିବ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟିକା ପାଇଁ ରାଜ୍ୟବାସୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏଥିପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶରେ କୋଭିଡ ସ୍ଥିତି ଭୟଙ୍କର ହୋଇଛି । ମୃତ୍ୟୁ ସଂଖ୍ୟା ବି ଚିନ୍ତାଜନକ ସ୍ଥିତିରେ ରହିଛି । ଅନେକ ରାଜ୍ୟରେ ଶବଦାହ ପାଇଁ ଜାଗା ମିଳୁନାହିଁ । ଏଭଳି ସ୍ଥିତିରେ ଆମକୁ ଆହୁରି ସଚେତନ ରହିବାକୁ ପଡିବ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ବିପଦ ସମୟରେ ଓଡିଶା ବର୍ତ୍ତମାନ ଅନେକ ରାଜ୍ୟକୁ ସାହାଯ୍ୟ ଜାରି ରଖିଛି । ୬ଟି ରାଜ୍ୟରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଅଭାବ ରହୁଥିବା ବେଳେ ଓଡ଼ିଶା ସେମାନଙ୍କୁ ସହଯୋଗର ହାତ ବଢାଇଛି । ଅନବରତ ସେମାନଙ୍କୁ ଅକ୍ସିଜେନ ସିଲିଣ୍ଡର ପଠାଉଛି । କିନ୍ତୁ ଆମ ସ୍ଥିତି ସେମାନଙ୍କ ଠାରୁ ଯଥେଷ୍ଟ ଭଲ ରହିଛି । ତଥାପି ଆମକୁ ଆହୁରି ସଚେତନତାର ଆବଶ୍ୟକତା ରହିଛି ।

କୋଭିଡରେ ହଜାର ହଜାର ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ଭୟଙ୍କର ସ୍ଥିତି ଉପୁଜିଛି । ଯାହା ଭାରତ ଇତିହାସରେ କେବେ ମଧ୍ୟ ଘଟିନାହିଁ । ଏ ବିଷୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲି । ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଇ ଶହ ଶହ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇଛି । ଆମ ରାଜ୍ୟରେ ଏଭଳି ସ୍ଥିତି ନଘଟୁ ।

ଆପଣମାନଙ୍କୁ ଅନୁରୋଧ ସଚେତନ ଏବଂ ସତର୍କ ରୁହନ୍ତୁ । କାହାର ରୋଜଗାରିଆ ପୁଅର ମୃତ୍ୟୁ ଘଟୁଛି ତ, ଆଉ କିଏ ବାପା ଛେଉଣ୍ଡ ହୋଇଯାଇଛି । ପୁଣି କେଉଁ ମାଆର କୋଳ ଖାଲି ହୋଇଯାଇଛି । ଏଭଳି ସ୍ଥିତି ମୋତେ ଅନେକ କଷ୍ଟ ଦେଇଛି । ତେଣୁ ଏହି ସ୍ଥିତି ଆଉ ନଘଟୁ । ମୋ ପରିବାର ସୁରକ୍ଷିତ ରହୁ । ମୋ ପରିବାରର କିଛି ଅମଙ୍ଗଳ ନଘଟୁ  । ରାଜ୍ୟ ସରକାର ଏପରି ସ୍ଥିତିରେ ମାଗଣାରେ ରାଜ୍ୟବାସୀଙ୍କୁ ଟିକା ଦେବେ  । କାହାରି ହାତରୁ ଟଙ୍କାଟିଏ ଖର୍ଚ୍ଚ ହେବନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

Leave a Reply