‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସମାଜ ସେବା କାର୍ଯ୍ୟକ୍ରମ- ‘ଓଡ଼ିଶା- ମୋ ପରିବାର’  ସଂପର୍କରେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଗତ ଅକ୍ଟୋବର ୨ ତାରିଖରେ ଦଳର ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଦଳର ସମାଜ ସେବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

‘ ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶା ମାଆର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ୱାଭିମାନ  ହେଉଛି ଆମ ଦଳର ଆଦର୍ଶ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

‘ ଚଳିତବର୍ଷ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ  ମୁଁ ଦାବି କରି ଆସିଛି । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ । ତାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ଏହି କାର୍ଯ୍ୟକ୍ରମ ଦଳର ଏକ ପ୍ରମୁଖ ଅଂଶ ଭାବରେ ସର୍ବଦା କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ବାବୁ ଆମର ଆଦର୍ଶ, ସେ ଓଡ଼ିଆ ମାନଙ୍କୁ ବହୁତ ଭଲ ପାଉଥିଲେ ଓ ଓଡ଼ିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ । ସେ ଥିଲେ ବିଶାଳ ହୃଦୟର ଅଧିକାରୀ । ଗରିବ, ଦୁଃଖିରଙ୍କୀ ତଥା ବିପଦରେ ପଡ଼ିଥିବା ଲୋକଙ୍କୁ ସେ ହିଁ ପ୍ରଥମେ ସହାୟତାର ହାତ ବଢ଼ାଉଥିଲେ । ‘ ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ବିଜୁ ବାବୁଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ସାଢେ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର’ ସେମାନଙ୍କ ମଙ୍ଗଳ ପାଇଁ ମୁଁ ସବୁବେଳେ କାମ କରିଛି । ସେହି କାମକୁ ଆହୁରି ଆଗକୁ ନେବାକୁ ମୁଁ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ତିନୋଟି ବିଷୟ ଉପରେ ପ୍ରମୁଖଭାବେ ଗୁରୁତ୍ୱ ଦେବ । ସେଗୁଡ଼ିକ ହେଲା –

୧. ପରିବେଶ ସୁରକ୍ଷା-

ଏଥିପାଇଁ ଦଳୀୟ କର୍ମୀମାନେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବେ ଏବଂ ଏ ଦିଗରେ ଲୋକଙ୍କୁ ସଚେତନ କରାଇବେ ।

୨. ରକ୍ତ ଦାନ ସେବା ଓ କଲ୍ୟାଣ-

ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ବେଶ ସଫଳତାର ସହ ଚାଲିଛି । ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ  ବୋଲି କହିଛନ୍ତି । ଏହାକୁ ଏକ ପବିତ୍ର ଦାୟିତ୍ୱ ଭାବରେ ଜ୍ଞାନ କରି ସମସ୍ତେ ଆଗେଇ ଆସିବା ଉଚିତ ।

୩. ବିପନ୍ନ ଓଡ଼ିଆଙ୍କୁ ସହାୟତା

ଦେଶ ତଥା ବିଦେଶରେ କାମ କରୁଥିବା ଓଡ଼ିଆ ଲୋକ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ବିପଦ ସମୟରେ ସେମାନଙ୍କ ସାଥିରେ ରହି ସହାୟତା ଯୋଗାଇବା ପାଇଁ  ବିଜେଡିର କର୍ମୀମାନେ କାର୍ଯ୍ୟ କରିବେ ।

ଓଡ଼ିଶାବାସୀଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କୁ ସେବାର ସୁଯୋଗ ଦେଇଥିବା ସେ କହିଛନ୍ତି । ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି ।  ତାଙ୍କର ବିଶ୍ୱାସ ବିଜୁ ଜନତା ଦଳର ‘ ଓଡ଼ିଶା-ମୋ ସରକାର’ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୋକଙ୍କୁ ସେବା ଯୋଗାଇଦେବାରେ ସଫଳ ହେବ ।

ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଯୁବ ବାହିନୀର ଅଧ୍ୟକ୍ଷ ଅରୁପ ପଟ୍ଟନାୟକଙ୍କୁ ଆବାହକ ଏବଂ ପୁରୀ ସାଂସଦ ପିନାକୀ ମିଶ୍ର, କନ୍ଧମାଳ ସାଂସଦ ଚ୍ୟୁତାନନ୍ଦ ସାମନ୍ତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ନଳୀନିକାନ୍ତ ପ୍ରଧାନଙ୍କୁ ସହ ଆବାହକ, ମନୋହର ରନ୍ଧାରୀ, ଅନନ୍ତ ନାରାୟଣ ଜେନା, ସୁଧୀର ସାମଲ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ଲତିକା ପ୍ରଧାନ, ରୀତା ତରାଇ,  ଭାରତୀ ସିଂ, ସୁନିତା ବିଶ୍ୱାଳ, ସନ୍ଧ୍ୟା କୁମାରୀ ନାୟକ, ରୋଜାଲିନ ମହାପାତ୍ର ଓ ଗୌରହରି ମିଶ୍ରଙ୍କୁ ସଭ୍ୟ ଭାବେ ନିଯୁକ୍ତ କରିଛନ୍ତି । ')}

Leave a Reply