ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ବିଭିନ୍ନ କଲ୍ୟାଣ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜଗନ୍ନାଥ ମନ୍ଦିର ସେବାୟତଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅନେକ ଥର ପୁରୀ ଗସ୍ତ କରିଛନ୍ତି । ଏହି ଅବସରରେ ସେବାୟତମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ସେବାୟତଙ୍କ କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

ଘୋଷଣା ଅନୁଯାୟୀ ଜଗନ୍ନାଥଙ୍କ ସେବାୟତ ଓ ତାଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟବୀମା ଯୋଜନାରେ ପୂର୍ବରୁ ଦିଆଯାଉଥିବା ବୀମା ରାଶି ପରିମାଣକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗୁରୁତର ରୋଗର ଚିକିତ୍ସା ପାଇଁ ଅତିରକ୍ତ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବ । ସେହିଭଳି ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରବେଶିକା ପରୀକ୍ଷା ଯଥା NEET, JEE ଓ Civil Service Coaching ପାଇଁ ବ୍ୟବସ୍ଥା ବାବଦରେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ସର୍ବାଧିକ ୩ ଥର ସହାୟତା ଯୋଗାଇ ଦିଆଯିବ ।

ସେବାୟତଙ୍କୁ ଦିଆଯାଉଥିବା ବିଭିନ୍ନ ବର୍ଦ୍ଧିତ ଭତ୍ତା, ସ୍ୱାସ୍ଥ୍ୟବୀମା ରାଶି, କୋଚିଂ ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ୧୦.୮୫ କୋଟି ଯୋଗାଇ ଦେଇଛନ୍ତି ।