ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବର୍ଷକ ଭିତରେ ଜିଲ୍ଲା ହେବ ପଦମପୁର

ଝାରବନ୍ଧ : ଦିନିକିଆ ପଦମପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ ପଦମପୁର ବର୍ଷକ ଭିତରେ ଜିଲ୍ଲା ହେବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ସୂଚନାଯୋଗ୍ୟ ଯେ, ପଦମପୁର ଉପନିର୍ବାଚନ କାଳରେ ମୁଖ୍ୟମନ୍ତ୍ରୀ ପଦମପୁରକୁ ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତବର୍ଷ ଡିସେମ୍ବର ମାସରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମିଶନ ଶକ୍ତି ଅନ୍ତର୍ଗତରେ ମହିଳାଙ୍କ କାମକୁ ନେଇ ସେ ବେସ ଖୁସି ଅଛନ୍ତି । ମିଶନ ଶକ୍ତିର ମା’ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦେବା କଥା ମଧ୍ୟ ଘୋଷଣା କରିଥିଲେ । ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲୋକଙ୍କ ସ୍ନେହଶ୍ରଦ୍ଧା ତାଙ୍କୁ ଅଭିଭୂତ କରିଛି  ବୋଲି ମଧ୍ୟ ସେ କହିଥିଲେ । ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ତାଙ୍କ ସରକାର ଗ୍ରହଣ କରିଛନ୍ତି । ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦମପୁରରେ ବିଭିନ୍ନ ବିକାଶମୁଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ, ‘ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି। ୧୩୩ କେଭି ସବଷ୍ଟେସନ୍ ପାଇଁ ଜମି ଚିହ୍ନଟ ହୋଇସାରିଛି ।’ ଏହି ଅବସରରେ ଝାରବନ୍ଧରେ ୮ କୋଟି ୮୫ ଲକ୍ଷ ୩୮ ହଜାର ଟଙ୍କାର ୧୧ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୯୦ କୋଟି ୨୪ ଲକ୍ଷ ୯୯ ହଜାର ଟଙ୍କାର ୩୩୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଉପନିର୍ବାଚନ କାଳରେ ପୁଣିଥରେ ପଦମପୁର ଆସିବେ ବୋଲି କଥା ଦେଇଥିଲେ । ସେହି ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ରବିବାର ଦିନ ପଦମପୁର ଗସ୍ତରେ ଯାଇଛନ୍ତି ।