ଗାନ୍ଧିଜୀଙ୍କ ସ୍ମୃତି ବହନ କରୁଥିବା ଚାରିବାଟିଆର ହେବ ବିକାଶ, ମୁଖ୍ୟମନ୍ତ୍ରୀ କଲେ ଆର୍ଥିକ ଅନୁଦାନ ଘୋଷଣା

1 min read

ବାସୁଦେବପୁର: ଇତିହାସ ପ୍ରେରଣା ଯୋଗାଏ, ଆଗକୁ ବଢିବା ପାଇଁ ଶକ୍ତି ଦିଏ । ମହାପୁରୁଷଙ୍କ ଗାରିମାର ଗାଥା ଯୁବ ପିଢିଙ୍କୁ ଉତ୍ସାହିତ କରିଥାଏ । ଓଡ଼ିଶାର ଏଭଳି ଏକ ସ୍ଥାନ ହେଉଛି ଭଦ୍ରକ ଜିଲ୍ଲାର ଚାରବାଟିଆ । ଆଜି ପର୍ଯ୍ୟନ୍ତ ଏଠାକାର ପରିବେଶ ସ୍ବାଧୀନତାର ସ୍ମୃତି ବଖାଣୁଛି । ଆଜିର ଦିନରେ ଏଠାକୁ ଆସି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବାପୁଜୀ । ଇତିହାସକୁ ଗୌରବମୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିବା ସହ ଅଞ୍ଚଳର ବିକାଶ ପାଇଁ ଘୋଷଣା କରିଛନ୍ତି ଆର୍ଥିକ ଅନୁଦାନ ।

ଭାରତ ସ୍ବାଧୀନତାର ସ୍ମୃତି ବଖାଣୁଛି ଚାରବାଟିଆ । ମହାତ୍ମା ଗାନ୍ଧୀଙ୍କ ମହତ ଉଦ୍ଦେଶ୍ୟକୁ ଆଜି ବି ସାଇତି ରଖିଛି ଏହି ପୁଣ୍ୟସ୍ଥଳୀ । ବୀରମାଟିର ଲଢୁଆ ପୁଅ ଏଠାରୁ ଇଂରେଜଙ୍କ ବିରୋଧରେ ଦେଇଥିଲା ରଣ ହୁଙ୍କାର । ବାପୁଜୀଙ୍କ ଡାକରାରେ ଅହିଂସାକୁ ମୁଖ୍ୟ ଅସ୍ତ୍ର କରି ସ୍ବାଧୀନତା ସଂଗ୍ରାମକୁ ଝାସ ଦେଉଥିଲେ ଏଠାକାର ଅଗଣିତ ଯୁବକ ଯୁବତୀ । ଏନେଇ ଭଦ୍ରକର ଚାରବାଟିଆଠାରେ ଆଜିର ଦିନରେ ଆୟୋଜିତ ହୋଇଥିଲା ବିରାଟ ସଭା । ୧୯୨୭ ମସିହା ଡିସେମ୍ବର ୧୭ ତାରିଖରେ ଉପସ୍ଥିତ ସଂଗ୍ରାମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବାପୁଜୀ । ଲକ୍ଷ୍ୟ ଥିଲା ସ୍ବାଧୀନତା ସଂଗ୍ରାମକୁ ଗଣ ଆନ୍ଦୋଳନରେ ପରିଣତ କରିବା । ସେଦିନର ଭାଷଣ ଓ ଗାନ୍ଧିଜୀଙ୍କ ପାଦ ସ୍ପର୍ଶକୁ ଆଜି ବି ଝୁରୁଛନ୍ତି ଚାରବାଟିଆବାସୀ ।

ଏହି ଐତିହାସିକ ସ୍ଥଳୀର ବିକାଶ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଚାରବାଟିଆକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ସହ ୬୫ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଗାନ୍ଧି ସ୍ମୃତି ଭବନ, ବାଣିଜ୍ୟ କୋଠି ଓ ପାର୍କର ଉନ୍ନତ୍ତିକରଣ ପାଇଁ ୭୧ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧିଜୀ ଆସିଥିବା ମନ୍ତେଇ ନଦୀ ଉପରେ ୬୫ କୋଟି ଟଙ୍କାର ପୋଲ ନିର୍ମାଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।