ଗଞ୍ଜାମ-ଗଜପତି ସଂଯୋଗୀକରଣ ରାସ୍ତା ଉନ୍ନତିକରଣ ପାଇଁ ୩୪ କୋଟି

ବାଲିଗୁଡ଼ା: ରାଜ୍ୟରେ ଗମନାଗମନ ବ୍ୟବସ୍ଥା ହେଉଛି ସୁଦୃଢ଼ । ରାସ୍ତାଘାଟର ଉନ୍ନତିକରଣ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଓ ଗଜପତିକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ପାଇଁ ପ୍ରଦାନ କରିଛନ୍ତି ୩୪ କୋଟି ଟଙ୍କା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଝିଞ୍ଜିରିଗୁଡାରୁ ମିଞ୍ଜାପଙ୍କା ଭାୟା କାଟିଙ୍ଗିଆ ଦେଇ ଏହି ରାସ୍ତା ନିର୍ମାଣ ହେବ ।

ଉପବାଚସ୍ପତି ସାଲୁଗା ପ୍ରଧାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପରିଷଦ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ ଏବଂ ଶତାଧିକ ଲୋକ ଉପସ୍ଥିତ ଥିଲେ । ପୂର୍ବରୁ ଆରଡି ରାସ୍ତା ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହାକୁ ପିଡବ୍ଲୁଡି ରାସ୍ତାରେ ପରିଣତ କରାଯାଇଛି । ଝିଞ୍ଜିରୀଗୁଡା, କୁମ୍ଭାରିଗାଁ ଓ କାଟିଙ୍ଗିଆ ପଞ୍ଚାୟତର ଶତାଧିକ ଲୋକେ ଏହାଦ୍ବାରା ଉପକୃତ ହେବେ । ୨୮ କିଲୋମିଟର ରାସ୍ତା କାମ ୨୦ ମାସ ମଧ୍ୟରେ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିକାଶ ମୂଳକ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।