spot_img

Latest Posts

କଟକ-ଖୋର୍ଦ୍ଧାରେ କୋଭିଡ୍ ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍‌ ଦୃଷ୍ଟିରୁ ଏହି ୨ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨,୪୦୪ ଯାହାକି ଜାତୀୟସ୍ତର ଠାରୁ ବହୁତ ଅଧିକ । ସେହିପରି ଆରୋଗ୍ୟ ହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛି ଏବଂ ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ୍ ପରିଚାଳନା ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି । ତେଣୁ ଏହିସବୁ ଆହ୍ୱାନକୁ ଦୃଷ୍ଟିରେ ରଖି କୋଭିଡ୍ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପର୍ଯ୍ୟବେକ୍ଷକମାନେ ତୁରନ୍ତ ବନ୍ୟାଞ୍ଚଳକୁ ଗସ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ରିଲିଫ ପ୍ୟାକେଜ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଋତୁରେ ସର୍ଦ୍ଦି, କାଶ ପରି ରୋଗର ସମ୍ଭାବନା ଦୃଷ୍ଟିରୁ ଏସବୁ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ ଜର କ୍ଲିନିକ୍‌ ଗୁଡିକୁ ଆଲର୍ଟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ ବିଭିନ୍ନ କୋଭିଡ୍ ପ୍ରୋଟୋକଲ୍‌କୁ ନେଇ ଏକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଗୁରୁତର କୋଭିଡ୍ ରୋଗୀମାନଙ୍କ ପାଇଁ ଜିଲ୍ଲା ଭିତରେ ଥିବା ହସ୍‌ପିଟାଲରେ ହିଁ ICU ବେଡର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅତ୍ୟନ୍ତ ଗୁରୁତର ରୋଗୀ ଯେପରି ICU ସୁବିଧା ପାଇପାରିବେ, ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ, ବିଶେଷକରି କଟକ ଓ ଭୁବନେଶ୍ୱରରେ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ କୋଭିଡ୍ କେସ୍‌ ବଢୁଥିବାରୁ ସମସ୍ତେ କୋଭିଡ୍ ନିୟମ ଗୁଡିକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ଓ ସାମାଜିକ ଦୂରତ୍ୱ ନିୟମରେ ଯେପରି କୌଣସି ଅବହେଳା ନ ହୁଏ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । କୋଭିଡ୍ ସଂପର୍କରେ ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ପରିଚାଳନା ସଂପୂର୍ଣ୍ଣ ସଫଳ ହୋଇଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍ ରଣନୀତିକୁ ସୁଦୃଢ କରାଯାଉଛି ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର କୋଭିଡ ପରିଚାଳନା ସଂପର୍କରେ ଏକ ବିବରଣୀ ଉପସ୍ଥାପନା କରିଥିଲେ ।

ବୈଠକରେ ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରି ସବୁ ବିଭାଗର ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଗୁଡ଼ିକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଥିଲେ । କୌଣସି କ୍ଷେତ୍ରରେ ଅସୁବିଧା ଥିଲେ, ତାକୁ ତୁରନ୍ତ ଦୂର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମଧ୍ୟ ଜିଲ୍ଲା ଗସ୍ତ ସମୟରେ ଜୀବିକା କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ । ଶିଳ୍ପ ଓ MSME କ୍ଷେତ୍ରରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପୂର୍ଣ୍ଣସ୍ତରରେ କାର୍ଯ୍ୟକ୍ଷମ କରିବାପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ । କୌଣସି ଶିଳ୍ପକ୍ଷେତ୍ରରେ ଯଦି କିଛି ଅସୁବିଧା ଥାଏ, ତେବେ ତାକୁ ତୁରନ୍ତ ପ୍ରାଥମିକତା ଭିତ୍ତିରେ ଦୂର କରିବା ଆବଶ୍ୟକ ।

ବୈଠକରୁ ଜଣାଯାଇଥିଲା ଯେ ରାଜ୍ୟରେ କୃଷି, ଶିଳ୍ପ, MSME ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର୍ଯ୍ୟକ୍ରମ ସ୍ୱାଭାବିକ ହୋଇଆସୁଛି । ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାର ଆସିଛି । କୃଷି କ୍ଷେତ୍ରରେ ଚଳିତ ବର୍ଷ ଖରିଫରେ ୫୫.୫୨ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି ଯାହା କି ପୂର୍ବ ବର୍ଷ ଠାରୁ ୫ ପ୍ରତିଶତ ଅଧିକ । ଚଳିତ ବର୍ଷ ସାର ଓ ୟୁରିଆର ଚାହିଦା ମଧ୍ୟ ଗତବର୍ଷ ଠାରୁ ଅଧିକ ରହିଛି । ଚଳିତ ବର୍ଷ ୯୯୬୫ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି, ଯାହା କି ଗତ ବର୍ଷ ଠାରୁ ମଧ୍ୟ ଅଧିକ ।

ଇସ୍ପାତ ଓ ଖଣି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୭୫୧୪ କୋଟି ଟଙ୍କାର ୨୦୦ଟି ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି । ଏଥିରେ ୧୩ ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି । ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇସାରିଛି ବୋଲି ସୂଚନା ଦିଆଯାଇଥିଲା । ବିଦ୍ୟୁତ ବ୍ୟବହାର, କାର୍ଗୋ ପରିଚାଳନା, ସବୁ କ୍ଷେତ୍ରରେ ଉନ୍ନତି ଆସିଛି । MSME କ୍ଷେତ୍ରରେ ସେପ୍ଟେମ୍ବର ସୁଦ୍ଧା ୧.୫ ଲକ୍ଷରୁ ଅଧିକ ୟୁନିଟ୍‌କୁ ପାଖାପାଖି ୩୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଶିଳ୍ପ ଓ MSME ସଂସ୍ଥାଗୁଡିକ ଯେପରି ସୁବିଧାରେ କାର୍ଯ୍ୟ କରିପାରିବେ, ସେଥିପାଇଁ GST Reimbursement ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ ଓ ସହଜ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର, କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Latest Posts

Don't Miss