ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଗଛ ହେଉଛି ଏକ ଶକ୍ତିଶାଳୀ ଅସ୍ତ୍ର । ବନ ମହୋତ୍ସବ ପାଳନ ଅବସରରେ ସମସ୍ତଙ୍କୁ ଗଛ ଲଗାଇବା ସହ ଏହାର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ପରାମର୍ଶ । ଚଳିତବର୍ଷ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ୫ କୋଟି ଚାରା ସୁଲଭ ମୂଲ୍ୟରେ ଯୋଗାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଫାଇଦା ନେଇ ଗଛ ଲଗାଇବା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ଝୁରିମଲ ବନ ସୁରକ୍ଷା ସମିତି ବିଜୁ ପଟ୍ଟନାୟକ ପୁରସ୍କାର ପାଇବା ସହ ୨ଲକ୍ଷ ଟଙ୍କାର ନଗଦ ରାଶି ଗ୍ରହଣ କରିଛନ୍ତି ।

ରାଜ୍ୟସ୍ତରୀୟ ୭୩ତମ ବନ ମହୋତ୍ସବ ପାଳନ ଅବସରରେ ଗଛ ଲଗାଇବା ଉପରେ ଗୁରୁତ୍ବ ଦେଇଛନ୍ତି ନବୀନ । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୩ ହଜାର ୨୫୦ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ଗଛକୁ ରାଜ୍ୟବାସୀ ଭଗବାନ ଭାବେ ପୂଜା କରୁଥିବାରୁ ଗଛ ପ୍ରତି ଆଦର ବଢୁଛି ବୋଲି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ।

ଚଳିତବର୍ଷ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ଝୁରିମଲ ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ସମ୍ମାନ ପ୍ରଦାନ କରାଯାଇଛି । ସମିତି ପକ୍ଷରୁ ୫୦ ହେକ୍ଟର ଜଙ୍ଗଲ ରକ୍ଷଣାବେକ୍ଷଣ ସହ ଗ୍ରାମବାସୀମାନେ ୨୦ ହେକ୍ଟର ଜଙ୍ଗଲ ନିଜେ ସୃଷ୍ଟି କରିବା ସହ ଫଳ ଗଛ ଲଗାଇ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଏପରିକି ଗାଁରେ ରହୁଥିବା ୧୬୮ ପରିବାର ଗୋଟିଏ ଲେଖାଏଁ ଗଛକୁ ପୋଷ୍ୟ ଗଛ ଭାବେ ଗ୍ରହଣ କରିଛନ୍ତି । ଏଥିପାଇଁ ଝୁରିମଲ ବନ ସୁରକ୍ଷା ସମିତିକୁ ୨ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ମିଳିଛି ।

ବରମୁଣ୍ଡା ବିଦ୍ୟାଳୟ ପରିସରରେ ଆୟୋଜିତ ୭୩ ତମ ବନ ମହୋତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ଭୁବନେଶ୍ବରର ଦୁଇ ବିଧାୟକଙ୍କ ସହ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବନ ସୁରକ୍ଷା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।