କିଶୋରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଅବେଳରେ ‘କିଶୋର’ ଅସ୍ତ । ରାଜନୀତି କରିବା ବୋଧ ହୁଏ ରକ୍ତରେ ଲେଖା ଥିଲା  । ସେଥିପାଇଁ ଅନ୍ୟାୟ ବିରୋଧରେ ଛାତ୍ର ରାଜନୀତିରୁ ଦୃଢ ପ୍ରତିବାଦ କରିଆସୁଥିଲେ  । ସେଥିପାଇଁ ସେ ଜନନେତା  । ପଶ୍ଚିମ ଓଡ଼ିଶାର ଦାଦା  । ୪ ଥରର ବିଧାୟକ  । ଏଭଳି ସମୟରେ ହଠାତ ବ୍ରଜରାଜନଗର ବିଧାୟକଙ୍କ ବିୟୋଗକୁ କେହି ଗ୍ରହଣ କରିପାରୁ ନାହାଁନ୍ତି  । ମୁଖ୍ୟମନ୍ତ୍ରୀ କିଶୋରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି  ।  ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଦଃଖ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କିଭଳି ଭାବରେ ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ହୋଇପାରିବ  । କିଭଳି ଉକ୍ତ ଜିଲ୍ଲା ମାନଙ୍କର ଲୋକଙ୍କ ପାଖରେ ଆବଶ୍ୟକୀୟ ସୁବିଧା ସୁଯୋଗ ପହଁଚିପାରିବ ସେନେ ସଦା ଚେଷ୍ଟିତ ଥିଲେ  । ସେହିପରି ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ୱ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା । ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ସେହିପରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କିଶୋର ମହାନ୍ତିଙ୍କ ପରଲୋକାଗତ ଖବର ତାଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି  । ଏହି ଖବର ଗ୍ରହଣ ହେଉନାହିଁ  । କିଶୋର ମୋର ଜଣେ ସାନ ଭାଇ ଥିଲା  । ଅନେକ ସମୟରେ ବିଭିନ୍ନ କଥା ଆଲୋଚନା କରୁଥିଲା  । ନିଜ ଅଞ୍ଚଳର ବିକାଶ ପକ୍ରିୟାକୁ ନେଇ ସର୍ବଦା ବିଧାନସଭାରେ ମୁଦ୍ଦା ଉଠାଉଥିଲେ  । ମୁଁ ଆଜି ଜଣେ ସାନ ଭାଇଙ୍କୁ ହରାଇଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  । ସେହିପରି ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବରିଷ୍ଠ ବିଧାୟକ ଅମର ସତପଥି,  ସ୍ନେହାଙ୍ଗୀନି ଛୁରିଆ, ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ ଦୁଃଖ ପ୍ରକାଶ କରିଛନ୍ତି  ।

 

Leave a Reply