ଓଡ଼ିଶାକୁ ଦିଅ ଅଧିକ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍: ନବୀନ

1 min read

ଭୁବନେଶ୍ୱର: ଓଡ଼ିଶା ଦେଇ ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସେପ୍ରସ ଚଳାଚଳ କରୁ ।  ଗୋଟିଏ ପୁରୀରୁ ସମ୍ବଲପୁର ଦେଇ ରାଉରକେଲା ଏବଂ ଅନ୍ୟଟି  ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଚଳାଚଳ କରୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସ୍ବାର୍ଥକୁ ଆଖିରେ ରଖି ନବୀନ ଆହୁରି ଦାବି ରଖିଛନ୍ତି ଯେ, ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ନୂଆ ରେଳ ଲାଇନ କାମ ହେଉ । ରେଳ ଚାଲୁ । ଏହା ରାଜ୍ୟର ପର୍ଯ୍ୟଟନ ବିକାଶକୁ ଆଗକୁ ନେବ ।  ଏଥିସହ ଅନୁଗୁଳ- ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ପୁରୀ-କୋଲକାତା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପୁରୀ ଓ କଟକ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍, ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଦାେହରୀକରଣ ଏବଂ ଆଉ ଦୁଇଟି ରେଳଲାଇନ୍ ଲୋକାର୍ପଣ କରାଯାଇଛି। ଓଡ଼ିଶାରେ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାମିଲ ହାେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦେବି ରଖିଛନ୍ତି, ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କଲେ ଏହା ଯାତ୍ରୀମାନଙ୍କୁ ବେଶ ଲାଭ ଦେବ ।
ନବୀନ କହିଲେ, ରାଜ୍ୟ ସରକାର ପୁରୀକୁ ଐତିହ୍ୟ ନଗରୀ କରିବାକୁ କାମ ଆରମ୍ଭ କରିଛନ୍ତି । ଏଥିପାଇଁ ଭିତ୍ତିଭୂମି ବିକାଶ କାମ ଚାଲିଛି । ଶହେ ପ୍ରତିଶତ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପୁରୀ ଦେଶରେ ପ୍ରଥମ ସହର । ତେଣୁ ପୁରୀ ଓ କୋଣାର୍କ ମଧ୍ୟରେ  ରେଳ ସଂଯାେଗ  ଜରୁରୀ । ଏହାଦ୍ବାରା ଦୁଇ ଜଣାଶୁଣା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ । ଆଗକୁ ପୁରୀ ଆନ୍ତର୍ଜାତିକ ବିମାନବନ୍ଦର କାମ ହେବ । ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ସଂପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ। ଆସନ୍ତା ୪ ବର୍ଷ ମଧ୍ୟରେ ଏ ବିମାନ ବନ୍ଦର କାମ ସରି କାର୍ଯ୍ୟକ୍ଷମ ହେବ । ଏହାକୁ ନିଜେ ପ୍ରଧାନମନ୍ତ୍ରୀ ଆସି ଲୋକାର୍ପଣ କରିବା ନେଇ ସେ ଆଶାବାଦି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୁରୀ-କୋଣାର୍କ ରେଳ ପ୍ରକଳ୍ପରେ ରାଜ୍ୟ ସରକାର ସବୁପ୍ରକାର ସହଯାେଗ କରିବେ । ଏ ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ସହ ସମୁଦାୟ ଜମି ଅଧିଗ୍ରହଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ରେଳବାଇ ପାଇଁ  ଲାଭଜନକ ହେବ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ।

 

 

ଦେଶରେ ବୁଲେଟ୍ ଟ୍ରେନ୍ ଚଳାଚଳର ପ୍ରଥମ ପାହାଚ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଖୁବ୍ ଶୀଘ୍ର ଦେଶରେ ବୁଲେଟ୍ ଟ୍ରେନ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।