ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚିଥିବାରୁ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ଯ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାରେ ଅପାର ସଫଳତା। ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି ‘ମୋ ମା’ ଜ୍ଞାନ୍ ପଟ୍ଟନାୟକ।
ଏହି ସ୍ୱାଗତ ସମାରୋହରେ ମନ୍ତ୍ରୀ ଅଶୋକ ପଣ୍ଡା. ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

