ଚେନ୍ନାଇରେ ବିଶିଷ୍ଟ ରାଜନୀତିଜ୍ଞ ସୁଜ୍ଞାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
1 min read
ଚେନ୍ନାଇ: ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ, ବିଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର। ଚିକିତ୍ସା ପାଇଁ ତାଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଚିକିତ୍ସାଧୀନ ସୁଜ୍ଞାନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ବିକ୍ରମ ଆରୁଖ, ଉଷା ଦେବୀ ଓ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସୁଜ୍ଞାନଙ୍କୁ ଭେଟି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦେଓଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁଜ୍ଞାନ ଦେଓ ଆମ ଦଳର ସବୁଠାରୁ ବରିଷ୍ଠତମ ସଦସ୍ୟଙ୍କ ମଧ୍ୟରୁ ଜଣେ। ସେ ଦଶଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଡାକ୍ତରମାନେ କହୁଛନ୍ତି। ଆମେମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ। ଓଡ଼ିଶା ପାଇଁ ତାଙ୍କର କଠିନ ପରିଶ୍ରମ ଓ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ଏବଂ ଏଥିପାଇଁ ଆମେମାନେ ତାଙ୍କ ନିକଟରେ କୃତଜ୍ଞ ଓ ତାଙ୍କର ସୁସ୍ଥତା କାମନା କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ତଥା ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ ଗଞ୍ଜାମ ରାଜନୀତିର ଜଣେ ସମ୍ମାନନୀୟ ବ୍ୟକ୍ତିତ୍ୱ। ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ଯୋଗ ଦେଇଛନ୍ତି। ଖଲ୍ଲିକୋଟ ଓ କବିସୂର୍ଯ୍ୟ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ରାଜ୍ୟ ବିଧାନସଭାକୁ ୧୦ଥର ନିର୍ବାଚିତ ହୋଇଛନ୍ତି।