ଜଗତସିଂହପୁରରେ ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

1 min read

ଢିଙ୍କିଆ: ଶିଳ୍ପାୟନର ନୂଆ ଅଧ୍ଯାୟ। ଜଗତସିଂହପୁର ଢିଙ୍କିଆ ଚାରିଦେଶରେ ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ଓ ସିଲକ୍ସ କେମିକାଲ ମାନ୍ଯୁଫାକଚରିଂ ପ୍ଲାଣ୍ଟର ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହି ସବୁ ପ୍ରକଳ୍ପରେ ୯୦ ହଜାର କୋଟିର ନିବେଶ ହେବା ସହ ୩୫ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ନବୀନ । ଆଜିର ଏହି ସବୁ ପ୍ରକଳ୍ପ ଲାଗି ମୁଖ୍ଯମନ୍ତ୍ରୀ କମ୍ପାନୀଗୁଡିକୁ ଧନ୍ଯବାଦ ଜଣାଇଛନ୍ତି । ନିରନ୍ତର ସହାୟତା ଓ ସହଯୋଗ ଲାଗି ଜେଏସଡବ୍ଲ୍ୟୁ ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସ୍ବତନ୍ତ୍ର ଧନ୍ଯବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଜଣେ ଭଲ ସହଯୋଗୀ ଭାବେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ଯକୁ ଦେଶରେ ଏକ ଇଣ୍ଡଷ୍ଟ୍ରିଆଲ ପାୱାରହାଉସ ଭାବେ ପରିଚିତି କରାଇପାରିଛି।

ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଶିଳ୍ପ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ଯ, ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡ଼ିଶାର ବିକାଶଧାରା ଆହୁରି ଉଜ୍ଜ୍ବଳ ହେଉଛି । ସାଧାରଣ ଲୋକ, ଚାଷୀ, ମାଆ, ଯୁବକମାନେ ବିକାଶର ଅଂଶ ପାଲଟିଛନ୍ତି । ସହଯୋଗ ପାଇଁ ଜଗତସିଂହପୁରକୁ ଧନ୍ଯବାଦ ଜଣାଇବା ସହ ଏହି ସବୁ ପ୍ରକଳ୍ପ ଦ୍ବାରା ଏଠିକାର ସବୁ ପରିବାର ଉପକୃତ ହେବେ ବୋଲି ମୁଖ୍ଯମନ୍ତ୍ରୀ ଆଶା କରିଛନ୍ତି।

ଉଦବୋଧନ ଆରମ୍ଭରୁ ଜଗତସିଂହପୁର ସହ ବିଜୁ ବାବୁଙ୍କ ସଂପର୍କ ବିଷୟରେ ଆଲୋକପାତ କରିଥିଲେ ମୁଖ୍ଯମନ୍ତ୍ରୀ । ଜଗତସିଂହପୁର ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସିଥାଏ । ୬୦ ଦଶକ ଆରମ୍ଭରେ ବିଜୁ ବାବୁ ଏକ ଡାଇନାମିକ ନିଷ୍ପତ୍ତି ନେଇ ପାରଦୀପରେ ବନ୍ଦର ପ୍ରତିଷ୍ଠା କରିଥିଲେ । ଯାହା ଆଜି ବିକାଶର ଇତିହାସରେ ଏକ ମାଇଲଖୁଣ୍ଟ ହେବା ସହ ପୂର୍ବାଞ୍ଚଳରେ ଏକ ଟପ ଡେଷ୍ଟିନେସନର ମାନ୍ଯତା ହାସଲ କରିପାରିଛି। ବନ୍ଦର ନଗରୀ ଭାବେ ସୁନାମ ଅର୍ଜୁଛି ବୋଲି କହି ଗର୍ବିତ ମନେ କରିଥିଲେ ।