ରାଜ୍ଯ କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ, ବଦଳିବ ବାରବାଟୀ ଷ୍ଟାଡିୟମର ରୂପରେଖ

କଟକ: ରାଜ୍ଯ କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ବିଶ୍ବରେ ଏକ ମେଜର କ୍ରିକେଟ ଡେଷ୍ଟିନେସନ ହେବ ବାରବାଟୀ ଷ୍ଟାଡିୟମ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତଙ୍କ ଶୁଭେଚ୍ଛା ଓ ଧନ୍ଯବାଦ ଜଣାଇବା ସହ ବିଶ୍ବର ସମସ୍ତ ସୁବିଧା ବାରବାଟୀରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି ।
ତେବେ ଷ୍ଟାଡିୟମର ଐତିହ୍ୟ ବହନ କରୁଥିବା ସମସ୍ତ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖାଯାଇ ଏହାର ନବୀକରଣ କାର୍ଯ୍ୟ କରାଯିବ । ଏଠାରେ ଏକ ନୂଆ ଓ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ଯେଉଠାରେ ଖେଳାଳିଙ୍କ ପାଇଁ ରହିବ ସମସ୍ତ ଅତ୍ଯାଧୁନିକ ସୁବିଧା । ଆଜି ବାରବାଟୀ ନବୀକରଣ ସହ ରାଜ୍ଯର ବିଭିନ୍ନ ସ୍ଥାନରେ କ୍ରିକେଟ ଷ୍ଟାଡିୟମ ଓ କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହା ରାଜ୍ଯରେ କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କ କ୍ଯାରିୟର ଗଠନ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ।
ଏହି ଅବସରରେ ବ୍ରହ୍ମପୁରରେ ଥିବା କ୍ରିକେଟ ଷ୍ଟାଡିୟମକୁ ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ। ଶୀତଳାପଲ୍ଲୀ ସ୍ପୋର୍ଟସ କମ୍ପ୍ଲେକ୍ସ, ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଏକାଡେମୀ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଓସିଏ ଦ୍ବାରା ବିକଶିତ ଓଡ଼ିଶାର ୪୨ଟି କ୍ରିକେଟ ଏକାଡେମୀ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଗଞ୍ଜାମ ଭାରୋତ୍ତଳନ ଏକାଡେମୀ ସହ ୨ଶହ ବେଡ ବିଶିଷ୍ଟ ହଷ୍ଟେଲର ଶୁଭ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହି ଉଦଘାଟନୀ ଅବସରରେ ବାରବାଟୀରେ ଏହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
ଏଥିରେ ପୂର୍ବତନ କ୍ରିକେଟର ଇରଫାନ ପଠାନ, ପ୍ରଜ୍ଞାନ ଓଝା । ଏଥି ସହିତ ଆଇପିଏଲ ଚେୟାରମ୍ୟାନ ଅରୁଣ ସିଂହ ଧୂମାଲ, କ୍ରିକେଟର ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ଦୀନେଶ ମଙ୍ଗିଆ, ଆଶୀର୍ବାଦ ବେହେରା, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିଲେ। କ୍ରୀଡ଼ା କ୍ଷେତ୍ରରେ ଏପରି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଥିଲେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ।