ଓଡ଼ିଶା ମାଇନିଂ କର୍ପୋରେସନ କର୍ପୋରେଟ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ କର୍ପୋରେଟ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ। ଭୁବନେଶ୍ବର ଜୟଦେବ ବିହାର ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଏକର ପରିମିତ ଜାଗାରେ ନିର୍ମିତ ଏହି ପ୍ଲାଟିନମ ରେଟେଡ୍ ଗ୍ରୀନ ବିଲ୍ଡିଂ ସହରର ଏକ ନୂତନ ଲ୍ୟାଣ୍ଡମାର୍କ ସାଜିବ । ଏହି ନୂଆ ବିଲ୍ଡିଂ ସହ ଏହାର ଡ୍ରିଲ କୋର ଲାଇବ୍ରେରୀ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିବା ସହ ୭ଟି ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର, ୧୦ଟି ନମୁନା ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନ ଓ ୬ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଆରୋଗ୍ୟ ବାହିନୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାଜରେ କ୍ରୀଡା, ସ୍ବାସ୍ଥ୍ୟ, ଶିକ୍ଷା ଓ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଓଏମସି ସବୁବେଳେ ପ୍ରୟାସ ଜାରି ରଖିଛି। ନିଜର ନୂଆ କର୍ପୋରେଟ ଅଫିସ ପାଇଁ ଓଏମସିକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର କୁର୍ମିତାର ଠାରେ ଥିବା ଓଏମସି କୁର୍ମିତାର ଲୌହ ଖଣି ନମୁନା ପ୍ରକ୍ରିୟା କରଣ କେନ୍ଦ୍ର ଓ ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭିସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲାର ୩ଟି ସ୍ଥାନ ଶୁଆକାଟୀ, ବଡ଼ବିଲ ଓ ଦୈତାରୀ ଠାରେ OMC ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ୩ଟି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ବାରା ଜିଲ୍ଲାର OMC ଖଣି ପ୍ରଭାବିତ ଅଞ୍ଚଳର ଲୋକେ ଉତ୍ତମ ଶିକ୍ଷା ଓ ସ୍ଵାସ୍ଥ୍ୟସେବା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।