ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ପ୍ରତିଷ୍ଠା ହେଉ ବ୍ୟାଙ୍କ, ମାଗଣାରେ ଜମି ଦେବ ରାଜ୍ୟ
1 min readନୂଆଦିଲ୍ଲୀ: ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ପ୍ରସଙ୍ଗ ନେଇ କେନ୍ଦ୍ରର ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ମଧ୍ୟରେ ରହିଛି- ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର ୩୨୬କୁ ଚାରି ଲେନ୍ ବିଶିଷ୍ଟ କରିବା । ଏହାଦ୍ୱାରା ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ବାଙ୍ଗାଲୋର ଓ ହାଇଦ୍ରାବାଦ ଯାଏଁ ସମାନ୍ତରାଳ ସଡ଼କ ପଥ ହୋଇପାରିବ । ଏହାଦ୍ବାରା ସମୟ ବଞ୍ଚିବା ସହ ଏହି ଅଞ୍ଚଳର ଆର୍ଥିକ ପ୍ରଗତି ଅଧିକ ହୋଇପାରିବ ।
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକ ବର୍ତ୍ତମାନ ରେଳବାଇ ନେଟୱର୍କରେ ଆସୁନାହାନ୍ତି । ରେଲୱେ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୟପୁରରୁ ନବରଙ୍ଗପୁର ଓ ଜୟପୁରରୁ ମାଲକାନଗିରି ପ୍ରକଳ୍ପ ଲାଗି କାର୍ଯ୍ୟ କରୁଛନ୍ତି । ପ୍ରକଳ୍ପରେ ସ୍ଥାନିତ ହୋଇ ନଥିବା ୧୫୩ କିଲୋମିଟର ଦୀର୍ଘ ମାଲକାନଗିରରୁ ଭଦ୍ରାଚଳମ ଓ ୧୧୮ କିଲୋମିଟର ଦୀର୍ଘ ନବରଙ୍ଗପୁରରୁ ଜୁନାଗଡ଼ ଗୁରୁତ୍ୱପୂର୍ଣ୍ଣ ରୁଟ୍ । ଏହି ପଥର ବିକାଶ ହେଲେ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଓଡ଼ିଶାରେ ମୋବାଇଲ ସଂଯୋଗକୁ ପରିବ୍ୟାପ୍ତ କରିବା ଲାଗି ପ୍ରସ୍ତାବ ରହିଛି । ରାଜ୍ୟର ୬ ହଜାର ୨୭୮ ଗାଁରେ ବର୍ତ୍ତମାନ ମୋବାଇଲ ସୁବିଧା ଉପଲବ୍ଧ ହୋଇନାହିଁ । ରାଜ୍ୟ ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୪୮୮ଟି ମୋବାଇଲ ଟାୱାର ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଲାଗି ୨୦୦୦ରୁ ଅଧିକ ମୋବାଇଲ ବେସ ଷ୍ଟେସନ ପ୍ରତିଷ୍ଠା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସୁବିଧା ପ୍ରତିଷ୍ଠାର ଆବଶ୍ୟକତା ରହିଛି । ବ୍ୟାଙ୍କ ସୁବିଧା ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ । ନିଟ୍, ଆଇଆଇଟି ଓ ଜେଇଇ ଆଦି ପରୀକ୍ଷାରେ ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯେପରି ଅଧିକ ସଫଳ ହୋଇପାରିବେ ସେଥିଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ସର୍ବେକ୍ଷଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।