କୋଟିଆ, ନେରାଡ଼ି ଏବଂ ପୋଲାଭରମ ନେଇ ନବୀନ ଓ ଜଗନଙ୍କ ମଧ୍ୟରେ ଆଲୋଚନା
ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ରାଜ୍ୟ ଭିତରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଆଲୋଚନା ପରେ ମିଳିତ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇ.ଏସ୍ ଜଗନମୋହନ ରେଡ୍ଡୀ । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି ।
୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
- କୋଟିଆ ସୀମା ବିବାଦ
- ନେରାଡ଼ି ବ୍ୟାରେଜ୍
- ଝଞ୍ଜାବତୀ ଡ୍ୟାମ୍
- ପୋଲାଭରମ
- ବାହୁଡ଼ା ନଦୀରୁ ଜଳ ଛାଡ଼ିବା
- ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ
ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପଟାନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ବହି ଯୋଗାଣ, ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଦୁଇ ରାଜ୍ୟ ଏକାଠି ବୁଝାମଣାର ସହ କାମ କରିବେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି କରାଯିବ ।