JEE-NEET ଘୁଞ୍ଚାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: JEE ଓ NEET ପରୀକ୍ଷା ଘୁଞ୍ଚାଇବା ପ୍ରସଙ୍ଗ । ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ସ୍ଥଗିତ ରଖିବାକୁ ସେ ଅନୁରୋଧ କରିଛନ୍ତି । କରୋନା ମହାମାରୀ ଏବେ ସାରା ଦେଶକୁ କବଜା କରିଛି । ଛାତ୍ରଛାତ୍ରୀ ମାନେ ବାହାରକୁ ଯାଇ ପରୀକ୍ଷା ଦେବାରେ ସମସ୍ୟା ହେବ । କରୋନା ସହ ଅନେକ ଅଞ୍ଚଳ ବନ୍ୟାପାଣିରେ ଜଳବନ୍ଦୀ ରହିଛି । ଛାତ୍ରଛାତ୍ରୀ ଦୂର ବାଟରୁ ଯାଇ ପରୀକ୍ଷା ଦେବା କଷ୍ଟସାଧ୍ୟ ହେବ । ପୂର୍ବରୁ ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ JEE, NEET, CLAT ଆଦି ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଥିଲେ ।
ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ପରୀକ୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯିବା ପରେ ସାରା ଦେଶରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି JEE, NEETକୁ ବିରୋଧ କରି ଏକ ମେଳି କରିଛନ୍ତି । ବୁଧବାର ସନ୍ଧ୍ୟାରେ ସେ ସବୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଡାକି ବୈଠକ କରିଥିଲେ । ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏଥିରେ ବକେୟା ଜିଏସଟି ଅର୍ଥ ଓ ନିଟ-ଜେଇଇ ପରୀକ୍ଷା ଉପରେ ଆଲୋଚନା କରାଯାଇଛି । ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବୈଠକରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି । ନିଟ୍-ଜେଇ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସ୍ଥିର ହୋଇଥିଲା ।
ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଗ ନେଇଥିଲେ ।