ରାୟଗଡା ପୋଲ ଭୁଶୁଡିବା ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଆଜି ସକାଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି  । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।  ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକମାନେ ହେଲେ ୩୨ ବର୍ଷୀୟ ଲାଛିନ୍ଦ୍ରନ ମିଣିଆକା, ପୁଅ ପିନିୟନ୍ସ ମିଣିଆକା, ୭ ବର୍ଷୀୟ ମନୋଜ କୁଲିସିରା, ୫ ବର୍ଷୀୟ ଚୁମାନ ମିଣିଆକା ଓ ୯ ବର୍ଷର ତାରା ମିଣିଆକା । ଘଟଣାସ୍ଥଳରେ ତହସିଲଦାର, ଏସପି ପହଞ୍ଚିଛନ୍ତି ।

ସେହିପରି ସ୍ଥାନୀୟ ବିଧାୟକ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ।