ଗଜପତି ଦୁର୍ଘଟଣା, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଜପତି ସଡ଼କ ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପାଇଁ ଗଭୀର ସମବେଦନା ଜଣାଇବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଦେବାକୁ ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗଜପତି ଜିଲ୍ଲା ରାମଗିରି ନିକଟସ୍ଥ ଜାମଢିଅ ଗାଁରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଲୋକ ଏକ ଭ୍ୟାନ୍‌ ଯୋଗେ ତୁମନ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଉଥିଲେ । ଏହି ସମୟରେ ରା.ଉଦୟଗିରି ଥାନା ଅନ୍ତର୍ଗତ କଙ୍କଡାଗୁଡା ଘାଟିରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଖାଲି ସେତିକି ନୁହେଁ ବସ୍‌ରେ ଥିବା ଅନ୍ୟମାନଙ୍କ ମଧ୍ୟରେ ୨୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ସମସ୍ତେ ଡାମଢିଅ ଗାଁର ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply