ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଶଙ୍ଖ ଭବନରେ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନରେ ବସିବାକୁ ଥିବା ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବା ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ ।

ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବାକୁ ବିଜେଡିର ଅଧିକାଂଶ ନବ ନିର୍ବାଚିତ ବିଧାୟକ ପ୍ରସ୍ତାବ ଦେଇଛନ୍ତି ।

୨୪ ବର୍ଷ ଧରି ଓଡ଼ିଶାର ନେତୃ୍ତ୍ବ ନେଇ ନବୀନ ବିକାଶ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି । ତାଙ୍କର ଅଭିଜ୍ଞତା ଓ ଅନୁଭୂତି ଗୃହରେ ବିରୋଧୀ ଦଳ ନେତା ଭାବେ ବେଶ ସହାୟକ ହେବ । ନବୀନ ପଟ୍ଟନାୟକ ବିଜେଡିର ସବୋର୍ଚ୍ଚ ନେତା ଥିଲେ , ଅଛନ୍ତି ଓ ରହିବେ ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ନବୀନ ହିଁ ଗୃହର ନେତାଭାବେ ନିର୍ବାଚିତ ହେବେ ବୋଲି ଦଳୀୟ ନେତା କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଦଳର ଦୁଇ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରାମଚନ୍ଦ୍ର କାଡ଼ାମଙ୍କ ନାଁ ଏହି ରେସରେ ଆଗରେ ରହିଛି । ତେବେ ଦଳୀୟ ହାଇକମାଣ୍ଡ ଯାହାକୁ ମନୋନୀତ କରିବେ ସମସ୍ତେ ଏକହୋଇ କାମ କରିବେ ବୋଲି କହିଛନ୍ତି ।