ରେଳ ଓଭର ବ୍ରିଜରୁ ମନ୍ଦିର ରୂପାନ୍ତରଣ, ରାଜଗାଙ୍ଗପୁର ପାଇଁ ୧୦୦ କୋଟି ମଞ୍ଜୁର

1 min read

ରାଜଗାଙ୍ଗପୁର: ରେଳ ଓଭରବ୍ରିଜରୁ ମନ୍ଦିର ରୂପାନ୍ତରଣ। ରାଜଗାଙ୍ଗପୁରରେ ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ମାର୍ଚ୍ଚ ୧୨ ତାରିଖରେ ସେ ରାଜଗାଙ୍ଗପୁର ଆସିଥିଲେ। ସେତେବେଳେ ନେଇଥିବା ପ୍ରାୟ ୪୦ଟି ଦରଖାସ୍ତରୁ ୩୫ଟିର ସମାଧାନ ହୋଇସାରିଛି। ୯୦ପ୍ରତିଶତ ଦରଖାସ୍ତ ପାଇଁ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଗାଙ୍ଗପୁରରେ ରେଲଓ୍ବେ ଓଭରବ୍ରିଜ ପାଇଁ ଦୀର୍ଘଦିନର ଦାବି ଥିଲା । ୧୫ବର୍ଷ ହେଲା କାମ ପଡି ରହିଥିଲା। ଏନେଇ ଜଣାଇବା ପରେ ରେଲଓ୍ବେ ଓଭରବ୍ରିଜ କାମ ଆରମ୍ଭ ହୋଇଛି। ଏଥିପାଇଁ ୪୮କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବେଦବ୍ୟାସ ମନ୍ଦିରର ସଂପୂର୍ଣ୍ଣ ରୂପାନ୍ତରଣ ପାଇଁ ୧୪କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ସେହିପରି ସାବିତ୍ରୀ ଦେବୀ ମହିଳା ମହାବିଦ୍ୟାଳୟ, ଡାଲମିୟା କଲେଜ ଓ ବେଦବ୍ୟାସ ମହାବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟିଏ ୨୫ ଲକ୍ଷ ଲେଖାଏଁ ମଂଜୁର କରାଯାଇଛି । ରାଜଗାଙ୍ଗପୁରର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକୁ 5Tରେ ସାମିଲ କରି ରୂପାନ୍ତରଣ ପାଇଁ ଟଙ୍କା ମଂଜୁର ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ସବୁ କାମ ସରିବ। କେବଳ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଂଜୁର କରିଛନ୍ତି।

ଆଜିବି ଅନେକ ଦରଖାସ୍ତ ଗ୍ରହଣ କରିଛନ୍ତି 5T ଅଧ୍ୟକ୍ଷ। ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୧୦ଦିନ ଭିତରେ ଖୁସି ଖବର ମିଳିବ। ଟଙ୍କାକୁ ସ୍ବଚ୍ଛତାର ସହ କାମରେ ଲଗାଇବାକୁ ସେ ଆହ୍ବାନ କରିଛନ୍ତି। ପ୍ରତି ଦରଖାସ୍ତରେ ସମସ୍ୟା ଓ ସମାଧାନ ନେଇ ଉତ୍ତର ପାଇବେ ଲୋକେ ବୋଲି 5T ଅଧ୍ୟକ୍ଷ କହିଛନ୍ତି। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବରଦାନ ସାଜିଛି ବିଏସକେଓ୍ବାଇ। ଗ୍ରାମାଞ୍ଚଳର ଲୋକଙ୍କୁ ବିଏସକେଓ୍ବାଇ ନବୀନ ହେଲଥ କାର୍ଡ ପାଇଁ ୬ରୁ ୧୬ ମଧ୍ୟରେ ଆବେଦନ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ। ସେହିପରି ଖୁବ୍ ଶୀଘ୍ର ଗଡିବ ଲକ୍ଷ୍ମୀ ବସ୍ । ପ୍ରତି ପଞ୍ଚାୟତରେ ବ୍ୟାଙ୍କ କରିବେ ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼ର ସମ୍ମାନ ବଢାଇଛି ହକି ବିଶ୍ବକପ୍। ଓଡ଼ିଶାରେ ହକି ବିଶ୍ବକପ ଆୟୋଜନ ନିଷ୍ପତ୍ତି ହେବା ପରେ ସୁନ୍ଦରଗଡ଼ରେ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ବିଶ୍ବକପ ପାଇଁ ଆବଶ୍ୟକ ସୁବିଧା ନଥିଲା। ଷ୍ଟାଡିୟମରୁ ଏୟାରପୋର୍ଟ, ଦିନରାତି ପରିଶ୍ରମ କରି ସବୁ ୨ବର୍ଷ ଭିତରେ ସମସ୍ତ ସୁବିଧା କରାଯାଇଥିଲା । ହକି ବିଶ୍ବକପ କରି ସୁନ୍ଦରଗଡ଼କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼କୁ ବିଶ୍ବ ଦରବାରରେ ପରିଚୟ ମିଳିଛି । ସାରା ଦୁନିଆରେ ସବୁଠୁ ବଡ଼ ହକି ଷ୍ଟାଡିୟମ ସୁନ୍ଦରଗଡ଼ରେ ରହିଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି।