୩୦ ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଫସଲହାନିକୁ ନେଇ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମେହାନ ଚରଣ ମାଝୀଙ୍କ ସୂଚନା । ୩୦ ତାରିଖ ଭିତରେ ଚିହ୍ନଟ ହେବେ ସମସ୍ତ କ୍ଷତିଗ୍ରସ୍ତ ଚାଷୀ । ସମସ୍ତ ଚାଷୀଙ୍କୁ ସରକାରଙ୍କ ନିୟମ ଅନୁସାରେ ମିଳିବ କ୍ଷତିପୂରଣ । ଡିବିଟି ଜରିଆରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିମାଭୁକ୍ତ ଚାଷୀ କାଲି ସୁଦ୍ଧା ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଏକ ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ବାବଦରେ ସୂଚନା ଦେଇଛନ୍ତି । ଗତ ୨୦ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ଓ ଦ୍ୱିତୀୟ ଫେଜ ବର୍ଷା ଯୋଗୁଁ ଖରିପ ଚାଷ ଅମଳ ସମୟରେ କ୍ଷୟକ୍ଷତି ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ସଂପୃକ୍ତ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଛି । ବିଶେଷ କରି ସମୀକ୍ଷାର ନିଷ୍କର୍ଷ ବାହାରିଛି, ତାହାକୁ ନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି । ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି । ଆସିଥିବା ରିପୋର୍ଟକୁ ନେଇ ଇନସ୍ୟୁରାନ୍ସ କମ୍ପାନୀମାନଙ୍କ ସହ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର । ସରକାରୀ ସାହାଯ୍ୟ ସମସ୍ତଙ୍କୁ ମିଳିବ । ଧାନ ସହ ପାନ ଆଉ ପରିବା ଚାଷୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ । କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଆପ୍ଲିକେଶନରେ ନିଜର କ୍ଷୟକ୍ଷତି ବାବଦରେ ଚାଷୀ ସୂଚନା ଦିଅନ୍ତୁ । ଜାରି ହୋଇଥିବା ୧୪୪୪୭ ଟୋଲ ଫ୍ରି ନମ୍ୱରରେ ମଧ୍ୟ ଚାଷ ବିଷୟରେ ଚାଷୀ ଅଭିଯୋଗ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।